ଆଇଏଫ୍ଏସ୍ ଅଫିସର୍‌ଙ୍କ ଅମାପ ସମ୍ପତ୍ତି

ଭିଜିଲାନ୍ସ ତାଜୁବ୍, ହିସାବ ସରୁନି

0

ଭୁବନେଶ୍ବର,୨୭/୧୧: ଓଡ଼ିଶା କ୍ୟାଡର୍‌ ଆଇଏଫ୍‌ଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି ଏବେ ସ‌ାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ତିନି ଦିନ ହେଲା ରାଜ୍ୟ ଭିଜିଲାନ୍ସର ଚାଲିଥିବା ଚଢ଼ାଉ ସରୁନି। ତାଙ୍କର ଏତେ ସମ୍ପତ୍ତି ଜବତ ହେଲାଣି ଯେ ଭିଜିଲାନ୍ସ ଅଫିସର୍‌ମାନେ ତାଜୁବ୍ ହୋଇଯାଇଛନ୍ତି। ସମ୍ପତ୍ତିର ହିସାବ ସରିପାରୁନି। ଏହାର ହିସାବ କରିବା ପାଇଁ ଏକାଧିକ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌, ବ୍ୟାଙ୍କ ଅଧିକାରୀ, ଇଣେ୍‌ଟରିୟର୍‌ ଡିଜାଇନର୍‌ ଓ ନଥିପତ୍ର ଯାଞ୍ଚ୍ କରୁଥିବା ସଂସ୍ଥାର ସହାୟତା ନେଇଛି ଭିଜିଲାନ୍ସ। ଗତକାଲି ରାତି ସୁଦ୍ଧା ଅଭୟକାନ୍ତ ଓ ତାଙ୍କ ସମ୍ପର୍କୀୟଙ୍କ ଘରୁ ଏବେ ସୁଦ୍ଧା ୬୦ ଲକ୍ଷ ଟଙ୍କାର ନଗଦ ଅର୍ଥ ମିଳିଛି। ୮୦୦ ଗ୍ରାମ ସୁନା ଅଳଙ୍କାର ଓ ୨୩ ଲକ୍ଷ ଟଙ୍କାର ଆହୁରି ଗହଣା କିଣାଯାଇଥିବା ସଂକ୍ରାନ୍ତ ଏକ ବିଲ୍‌ ମିଳିଛି।  ତିନିଟି ଦାମୀ ଓ ବିଳାସପୂର୍ଣ୍ଣ କାର୍‌ ଟାଟା ହ୍ୟାରିୟର୍‌, ମର୍ସିଡିଜ୍ ଓ ବିଏମ୍‌ଡବ୍ଲ୍ୟୁ କାର୍‌ ଠାବ ହୋଇଛି। ସରକାରୀ ବାସଭବନରୁ ଏକ ଏୟାର୍‌ଗନ୍ ମଧ୍ୟ ଜବତ ହୋଇଛି। ଆଜି ମଧ୍ୟ ଚଢ଼ାଉ ଜାରି ରହିଛି।

କେବଳ ଆଇଏଫ୍‌ଏସ୍‌ ଅଭୟକାନ୍ତ ନୁହନ୍ତି, ତାଙ୍କ ପୁଅ ଆକାଶ ବି କୋଟିପତି। କେବଳ ତାଙ୍କ ଆକାଉଣ୍ଟ୍‌ରେ ୯.୪ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଛି। ମୁମ୍ବାଇ ତାଜ୍ ପ୍ୟାଲେସ୍‌ରେ ଆକାଶ ଅଏସ୍‌ କରିବା ବାହାନାରେ ୯୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ବି ସୂଚନା ମିଳିଛି। ଆକାଶ ବେଶ୍‌ ରଙ୍ଗୀନ୍ ମିଜାଜ୍‌ର ଥିଲା। ପଞ୍ଚ ତାରକା ହୋଟେଲ୍‌ରେ ଓ ବିଦେଶ ବୁଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା। ପୁନେରେ ଏକ ଫାର୍ମ ହାଉସ୍‌ ଓ ଜୁହୁ ବିଚ୍‌ରେ ଏକ ରେସ୍ତେଁରା ମଧ୍ୟ ଠାବ ହୋଇଛି। ଜଣେ ବିଧାୟକଙ୍କ ଝିଅ ସହିତ ଆକାଶଙ୍କ ବିବାହ ଡିସେମ୍ବରରେ ହୋଇଥା’ନ୍ତା। କାର୍ଡ ମଧ୍ୟ ଛପା ସରିଛି। ରାଜସ୍ଥାନର ଉଦୟପୁରରେ ବାହାଘର ପାଇଁ ତାଜ୍ ଲେକ୍ ପ୍ୟାଲେସ୍‌ ମଧ୍ୟ ରିଜର୍ଭ ହୋଇଥିଲା। ପାଖାପାଖି ୫ କୋଟି ଟଙ୍କାର ବାହାଘର ଯୋଜନା ହୋଇଥିଲା। ଜଣେ ସରକାରୀ ବାବୁ ଓ ତାଙ୍କ ପରିବାରର ଏପରି ବିଳାସ ଜୀବନ କେବଳ ଓଡ଼ିଶା ନୁହେଁ, ସାରା ଦେଶକୁ ତାଜୁବ୍ କରି ଦେଇଛି। ତଳତଳିଆ କର୍ମଚାରୀଙ୍କୁ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗରେ ସରକାର ତନାଘନା କରୁଥିଲା ବେଳେ ଜଣେ ଉଚ୍ଚପଦସ୍ଥ ଅଧିକାରୀ କିପରି କୋଟି କୋଟି ଟଙ୍କାର ମାଲିକ ହେଲେ ଓ ଦୀର୍ଘ ବର୍ଷ ଧରି ତାହାର ଟେର୍‌ କିପରି ସରକାର ପାଇଲେ ନାହିଁ, ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଗତକାଲି ସକାଳେ ଅଭୟକାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କ ପୁଅ ଆକାଶକୁ ମୁମ୍ବାଇରୁ ଫ୍ଲାଇଟ୍‌ ଯୋଗେ ଅଣାଯାଇଥିଲା। ତାଙ୍କୁ ଅଧିକ ପଚରାଉଚୁରା କରାଯାଉଛି। ସମ୍ଭବତଃ ଆଜି ତାଙ୍କୁ ଗିରଫ କରାଯାଇପାରେ।

Leave A Reply

Your email address will not be published.