ଚାକିରିରୁ ନିଲମ୍ବିତ ହେଲେ କୋଟିପତି ପିଏସ୍

0

ଭୁବନେଶ୍ବର, ୨।୮: ଚାକିରିରୁ ନିଲମ୍ବିତ ହେଲେ କୋଟିପତି ପିଏସ୍। ଗିରଫ ପରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନର (ଓଏସ୍‌ଏସ୍‌ସି) ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ। ଶନିବାର ସକାଳରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। କୋଟି କୋଟି ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଦିନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ତାଙ୍କ ଘର, ଅଫିସ୍‌ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ୍‌ ୬ଟି ଜାଗାରେ ଚଢ଼ଉ କରିଥିଲା। ଏହି ସମୟରେ ତାଙ୍କ ଘରୁ ୩ କୋଟି ୭୯ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଏହା ଛଡ଼ା ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ୱର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ଟି ଏକ ମହଲା ଘର। ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ଟି ପ୍ଲଟ୍‌। ଗୋଟିଏ କାର୍‌, ୨ଟି ବାଇକ୍‌, ୫୬ ଲକ୍ଷ ଟଙ୍କାର ଜୀବନବୀମା ଓ ଦେଢ଼ କେଜି ସୁନା। ତା’ଛଡା ଶ୍ରୀ ସାହୁଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ହେଲେ ବ୍ୟାଙ୍କ୍‌ ଓ ଲକରରେ ଥିବା ସମ୍ପତ୍ତି ଆକଳନ କରିପାରିନି ଭିଜିଲାନ୍ସ। ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଥିଲେ। ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କା ସମ୍ପତ୍ତି ରଖିଥିବା ଜଣାପଡିଛି । ସେ କରୋନା ମହାମାରୀ ସମୟରେ ୨ ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଛି। ଏଥିସହ ତାଙ୍କ ଘରୁ ବିଡା ବିଡା ବିଦେଶୀ ନୋଟ୍‌ ମଧ୍ୟ ଠାବ କରାଯାଇଛି ।

ଗତ କିଛି ମାସ ତଳେ ଏସ୍‌ଏସ୍‌ସି ମାଧ୍ୟମରେ ଚାକିରି ବିଜ୍ଞାପନ ବାହାରିଥିଲା। ବିରଞ୍ଚି ନାରାୟଣ ସାହୁ ଓ ତାଙ୍କର କିଛି ଖାସ୍‌ ସହଯୋଗୀ ଲକ୍ଷ ଲକ୍ଷ ଟଙ୍କାରେ ଡିଲ୍‌ କରୁଥିଲେ। ହେଲେ ଭିଜିଲାନ୍ସ ଏମାନଙ୍କୁ ଧରିବା ପୂର୍ବରୁ ଖସି ଯାଇଥିଲେ।  ସେବେଠାରୁ ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା। ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ହେଲେ ଏତେ ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.