ଆଜିଠୁ ୧୪ ଦିନ ମାସ୍କ ଅଭିଯାନ: ମାସ୍କ ନ ପିନ୍ଧିଲେ ୨ ଗୁଣା ତଣ୍ଡ

ଭୁବନେଶ୍ବର, ୯।୪: ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଆରମ୍ଭ ହେଲା ମାସ୍କ ଅଭିଯ‌ାନ। ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମାସ୍କ ନ ପିନ୍ଧିଲେ ଦୁଇ ଗୁଣା ତଣ୍ଡ ଗଣିବାକୁ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ଏହାସହ ମାଆମାନଙ୍କୁ ଘର ଜଗିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ସରକାର ବାହାରେ ଜଗୁଛନ୍ତି। ମାଆମାନେ ଘର ଜଗନ୍ତୁ। ଘରର ପୁରୁଷ ଓ ପିଲାମାନଙ୍କୁ ବିନା ମାସ୍କରେ ଘର ବାହାରକୁ ଛାଡ଼ନ୍ତୁ ନାହିଁ।

ଆଉ ମଧ୍ୟ ମୁଖ୍ୟମନ୍ତ୍ରୀ କହିଲେ – ଏବେ କରୋନାର ଦ୍ୱିତୀୟ ଲହରୀ ଚାଲିଛି। ଆମେ ମାସ୍କକୁ ସାଥୀ କରିପାରିଲେ ବିନା ଲକ୍‌ଡାଉନ୍‌ରେ କରୋନାକୁ ଜିତିପାରିବା। ସମସ୍ତଙ୍କ ସହଯୋଗରେ ଏ ଯୁଦ୍ଧ ଆମେ ଜିତିବା। ମାନବ ଇତିହାସରେ କେବେ ଏମିତି ସଙ୍କଟ ଆସିନଥିଲା। ଆମେ ଜୀବନଶୈଳୀରେ ପରିବର୍ତ୍ତନ କରି ମାସ୍କକୁ ସାଥି କରିପାରିଲେ କରୋନାକୁ ହରାଇ ପାରିବା। ଯେଉଁମାନେ ଟିକା ନେଇଛନ୍ତି ସେମାନେ ବି ମାସ୍କ ପିନ୍ଧିବେ।

ଏହାସହ ଏହି କରୋନା ଯୁଦ୍ଧରେ ପୁଲିସ୍‌ ପ୍ରଶାସନର ମହତ୍ତ୍ୱ ବିଷୟରେ ବି କହିଛନ୍ତି। ଫାଇନ୍‌ ଆଦାୟ କଡ଼ାକଡ଼ି ପାଇଁ ପୁଲିସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ। ଏଣିକି ବିନା ମାସ୍କରେ କୌଣସି ବ୍ୟକ୍ତି ଧରାପଡ଼ିଲେ ଜରିମାନା ଭାବେ ୨ ହଜାର ଟଙ୍କା ଆଦାୟ ହେବ। ତା’ପରେ ସମାନ ଭୁଲ କଲେ ୫୦୦୦ ପର୍ଯ୍ୟନ୍ତ ଫାଇନ୍‌ ଲାଗିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାପୂର୍ବରୁ ପ୍ରଥମ ଓ ଦ୍ବିତୀୟ ଥର ପାଇଁ ଜରିମାନା ୧ ହଜାର ଟଙ୍କା ଥିଲା।

Comments are closed.