ଭୁବନେଶ୍ବର, ୨୫।୧୨: ପବିତ୍ର ଖ୍ରୀଷ୍ଟମାସ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଦେଶବାସୀଙ୍କୁ ସମ୍ବୋଧନ କରି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି। ପୂର୍ବରୁ ଦେଶରେ କେବଳ ୧୮ ବର୍ଷରୁ ଅଧିକ ବୟସ୍କଙ୍କର ଟିକାକରଣ ଚାଲିଥିଲା। କିନ୍ତୁ ୨୦୨୨ ଜାନୁଆରୀ ୩ ତାରିଖରୁ ୧୫ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।
ସେହିପରି ଜାନୁଆରୀ ୧୦ ତାରିଖରୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧି ରୋଗରେ ପୀଡ଼ିତ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନେ ଟିକାର ବୁଷ୍ଟର ଡୋଜ୍ ବା ପ୍ରତିଷେଧମୂଳକ ଡୋଜ୍ ନେଇପାରିବେ। କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ଟିକାର ବୁଷ୍ଟର ଡୋଜ ଦିଆଯିବ। ଏହି ପ୍ରକ୍ରିୟା ଜାନୁଆରୀ ୧୦ରୁ ଆରମ୍ଭ ହେବ।
ଆଜି ରାତି ୯.୪୬ରେ ଦେଶବାସୀଙ୍କୁ ହଠାତ୍ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ବିଶ୍ୱରେ ଆତଙ୍କ ଖେଳାଉଥିବା ଓମିକ୍ରନ୍ ଭାରିଏଣ୍ଟ ପ୍ରତି ସତର୍କ ରହିବାକୁ କହିଛନ୍ତି। ତେବେ ସେ ଭୟଭୀତ ନ ହୋଇ ମାସ୍କ ବ୍ୟବହାର ସହ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ କରିବାକୁ କହିଛନ୍ତି। ସେ କହିଛନ୍ତି, କରୋନା ମହାମାରୀର ବିପଦ ଏଯାଏ ଟଳିନି। ତେଣୁ କେହି ବି ଅବହେଳା କରିବା ଉଚିତ ନୁହେଁ। ଗୋଆ, ହିମାଚଳ ଓ ଉତ୍ତରାଖଣ୍ଡରେ ଶତ ପ୍ରତିଶତ ଲୋକ ଟିକାର ଗୋଟିଏ ଡୋଜ୍ ନେଇ ସାରିଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ଟିକାକରଣ ହାର ବଢ଼ୁଛି। ତେବେ ଟିକାକୁ ନେଇ ପ୍ରଚାର ହେଉଥିବା ଗୁଜବରେ ବିଶ୍ୱାସ କରିବା ଉଚିତ ନୁହେଁ। ଦୟା କରି କେହି ବି ଟିକାକୁ ନେଇ ଅପପ୍ରଚାର କରନ୍ତୁ ନାହିଁ। ଆମକୁ ଏହି ଗୁଜବ ବିରୋଧରେ ଏକାଠି ହେବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।
ଦେଶରେ ଓମିକ୍ରନ ସଂକ୍ରମଣ ବଢ଼ୁଥିଲେ ହେଁ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ମୋଦି କହିଛନ୍ତି। ସେ କହିଛନ୍ତି, ଦେଶରେ ୧୮ ଲକ୍ଷ ଆଇସୋଲେସନ ବେଡ୍, ୫ ଲକ୍ଷ ଅକ୍ସିଜେନ ବେଡ୍, ୧.୪୦ ଲକ୍ଷ ଆଇସିୟୁ ବେଡ୍, ୩ ହଜାରରୁ ଅଧିକ ପିଏସ୍ ଅକ୍ସିଜେନ ପ୍ଲାଣ୍ଟ ଓ ୪ ଲକ୍ଷ ଅକ୍ସିଜେନ ସିଲିଣ୍ଡର ବିଭିନ୍ନ ସ୍ଥାନରେ ମହଜୁଦ ରହିଛି। ଏବେ ସୁଦ୍ଧା ୬୧%ରୁ ଅଧିକ ଲୋକ ଟିକାର ଡବଲ୍ ଡୋଜ୍ ନେଇ ସାରିଛନ୍ତି। ୧୪୧ କୋଟି ଡୋଜ୍ର ଟିକାକରଣ ହୋଇଛି। ଟିକା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୯୦% ଲୋକ ଅତିକମରେ ଗୋଟିଏ ଲେଖାଏ ଡୋଜ୍ ନେଇ ସାରିଛନ୍ତି ବୋଲି ମୋଦି କହିଛନ୍ତି।