ହକି ବିଶ୍ୱକପ୍‌ ପାଇଁ ଗଡ଼ିବ ୨ ସ୍ୱତନ୍ତ୍ର ଟ୍ରେନ୍‌, ରାଉରକେଲାରୁ ପୁରୀ ଓ ଭୁବନେଶ୍ୱର ମଧ୍ୟରେ ଚାଲିବ

0

ଭୁବନେଶ୍ୱର ୧୨/୦୧: ହକି ବିଶ୍ୱକପ୍‌ ପାଇଁ ଚାଲିବ ୨ ସ୍ୱତନ୍ତ୍ର ଟ୍ରେନ୍‌ । ରାଉରକେଲାରୁ ଭୁବନେଶ୍ୱର ଓ ପୁରୀ ମଧ୍ୟରେ ୨ଟି ଟ୍ରେନ୍‌ ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବାଦ୍‌ ଦୈନିକ ୫ଟି ନିୟମିତ ଏକ୍ସପ୍ରେସ ଟ୍ରେନ ଚାଲୁଛି ବୋଲି ବରିଷ୍ଠ ରେଳ ଅଧିକାରୀ ସୂଚନା ଦେଇଛନ୍ତି । ହକି ବିଶ୍ୱକପ୍‌ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେଉଥିବାରୁ ଯାତ୍ରୀଙ୍କ ଚାହିଦା ତଥା ଟ୍ରେନ୍‌ରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି । ରେଳଯାତ୍ରୀମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକିପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଯୋଗାଇଦେବା ପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି ।

ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ୍‌ ଭୁବନେଶ୍ୱରରୁ ଆସନ୍ତା ୧୪ରୁ ୩୦ ତାରିଖ ମଧ୍ୟରେ ଚାଲିବ । ଯାହା ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ସନ୍ଧ୍ୟା ୮ଟା୨୫ରେ ଛାଡ଼ି ରାଉରକେଲା ଯାତ୍ରା କରିବ । ଫେରିବା ବେଳେ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲାରୁ ୧୫ରୁ ୩୧ ତାରିଖ ମଧ୍ୟରେ ଚାଲିବ । ଯାହା ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ରାତ୍ରୀ ୧୧ଟା ୨୫ରେ ଭୁବନେଶ୍ୱର ଯାତ୍ରା କରିବ । ଏହି ଟ୍ରେନରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି କୋଚ୍‌, ତିନିଟି ତୃତୀୟ ଶ୍ରେଣୀ ଏସି କୋଚ୍‌, ଆଠଟି ସ୍ଲିପର କ୍ଲାସ, ୪ଟି ଦ୍ୱିତୀୟ ଶ୍ରେଣୀ ସାଧାରଣ ଲୋକ ବସିବା ପାଇଁ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍‌ ଭ୍ୟାନ୍‌ ରହିବ । ଏହି ଟ୍ରେନ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ କଟକ, ଢେଙ୍କାନାଳ, ତାଳଚେର ରୋଡ୍‌, ଅନୁଗୁଳ, ସମ୍ୱଲପୁର ସିଟି ଏବଂ ଝାରସୁଗୁଡାରେ ରହଣି କରିବ ।

ସେହିପରି ପୁରୀ-ରାଉରକେଲା ହକି ସ୍ପେଶାଲ୍‌ ୧୪ରୁ ୩୧ ତାରିଖ ମଧ୍ୟରେ ପ୍ରତିଦିନ ଚାଲିବ । ଏହି ଟ୍ରେନ ପୁରୀରୁ ସକାଳ ୫ଟା ୧୫ରେ ଛାଡ଼ି ରାଉରକେଲାରେ ଅପରାହ୍ନ ୧୨ଟା୪୫ରେ ପହଞ୍ଚିବ । ଫେରିବା ବେଳେ ଏହା ରାଉରକେଲାରୁ ଅପରାହ୍ନ ୧ଟା୩୦ରେ ଛାଡ଼ି ପୁରୀରେ ରାତ୍ରୀ ୧୦ଟା ୩୦ରେ ପହଞ୍ଚିବ । ଏହା ବ୍ୟତୀତ ଭୁବନେଶ୍ୱର-ଧାନବାଦ୍‌ ସ୍ପେଶାଲ୍‌ ମଧ୍ୟ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଧାନବାଦରୁ ରାଉରକେଲା ଦେଇ ଚାଲୁଛି ।

ସେହିଭଳି ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା ଏକ୍ସପ୍ରେସ ଟ୍ରେନ ଦୈନିକ ଚାଲୁଛି । ଯାହା ହକି ବିଶ୍ୱକପ୍‌ ସମୟରେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଟ୍ରେନରେ ଯାତ୍ରା ପାଇଁ ସାହାଯ୍ୟ କରିବ । ଏହା ବ୍ୟତୀତ ଅନୁଗୁଳ ଓ ଝାରସୁଗୁଡା ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର- ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଓ ଭୁବନେଶ୍ୱର- ଆନନ୍ଦ ବିହାର ଏକ୍ସପ୍ରେସ ମଧ୍ୟ ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ସାପ୍ତାହିକ ଭାବେ ଚାଲୁଛି ।

Leave A Reply

Your email address will not be published.