ଗିରଫ ହେଲେ ସମ୍ବଲପୁରର ଆଉ ୩ ଆଇନଜୀବୀ

0

ଭୁବନେଶ୍ୱର, ୧୮।୧୨: ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ଆଉ ୩ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୁଲିସ୍‌। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଆଇନଜୀବୀ ଅଛନ୍ତି। ଗିରଫ ଆଇନଜୀବୀମାନେ ହେଉଛନ୍ତି: ବିଷ୍ଣୁପ୍ରିୟା ଭୋଇ, ସେବତୀ ବନ୍‌ଛୋର ଓ ମିଲନ୍ ମହାରଣା। ଏହି ତିନି ଜଣଙ୍କୁ ମିଶାଇ ଏଯାବତ୍ ଏହି ଘଟଣାରେ ମୋଟ ୨୬ ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଛି। ସେହିପରି ମୋଟ ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷେ ଗତକାଲି ୫୪ ଜଣ ଓକିଲଙ୍କୁ ଛାଡ଼ି ସମ୍ବଲପୁର ବାର୍‌ର ଅନ୍ୟ ସବୁ ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ ବାର୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ। ନିଲମ୍ବନ ପ୍ରତ୍ୟାହାର ହୋଇଥିଲେ ହେଁ ଗତକାଲି ସମ୍ବଲପୁର ଓକିଲ ସଂଘର କୌଣସି ଆଇନଜୀବୀ କୋର୍ଟ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଅବଶ୍ୟ ଅନେକ ଆଇନଜୀବୀଙ୍କୁ କଚେରି ଅଞ୍ଚଳରେ ଦେଖିବାକୁ ମିଳିଥିଲା।

ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ବେଳେ କେଉଁ ପରିସ୍ଥିତିରେ ଜିଲ୍ଲା ଜଜ୍‌ଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ହେଲା, ତାହା ଜାଣିବା ପାଇଁ ବାର୍ କାଉନସିଲ୍‌ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ ତିନି ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି। ୨୦୨୩ ଜାନୁଆରୀ ୧୫ ସୁଦ୍ଧା କମିଟି ବିସିଆଇ ନିକଟରେ ରିପୋର୍ଟ ଦାଖଲ କରିବ। ସମ୍ବଲପୁର କୋର୍ଟ ପରିସରରେ ଘଟିଥିବା ଘଟଣା ବାସ୍ତବରେ କାହା ପ୍ରରୋଚନାରେ ହୋଇଛି ଓ ଏହା ପଛରେ କିଏ କିଏ ଅଛନ୍ତି,  ସେମାନଙ୍କୁ ଖୋଜି ବାହାର କରିବାକୁ କମିଟିକୁ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.