୩୧ ଲକ୍ଷ ପରିବାରକୁ ୩ ହଜାର ଟଙ୍କା ଲେଖାଏଁ ଘର ମରାମତି ସହାୟତା

0

ଭୁବନେଶ୍ବର, ୭।୧: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧ ଲକ୍ଷ ପରିବାରକୁ ୩ ହଜାର ଟଙ୍କା ଲେଖାଏଁ ଘର ମରାମତି ସହାୟତା ଦେଇଛନ୍ତି। ଆଜି ଏହି ୩୧ ଲକ୍ଷ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ଜମା ହୋଇଛି ଓ ଏଥିପାଇଁ ରାଜ୍ୟ ରାଜକୋଷରୁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୪ରେ ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୨୦୧୪ରୁ ଏପର୍ଯ୍ୟନ୍ତ ୩୧ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି। ରାଜ୍ୟର ଶେଷ କଚ୍ଚା ଘରକୁ ପକ୍କା ନକରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ। ସବୁ ଗ୍ରାମୀଣ ପକ୍କାଘର ଯୋଜନାର ହିତାଧିକାରୀମାନେ ଏହି ସହାୟତା ପାଇବେ । ଫନି ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ବହୁ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଅପେକ୍ଷା କରି ରହିଛନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜନଜାତି ଲୋକମାନେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ଘର ପାଇବାକୁ ଅପେକ୍ଷାରେ ଅଛନ୍ତି । ଏବେ ସେମାନେ ଯେଉଁ ଭଙ୍ଗା ଘରେ ରହୁଛନ୍ତି ତା’ର ମରାମତି ପାଇଁ ୫ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରାଯାଉଛି, ଖୁବଶୀଘ୍ର ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀର ଆର୍ଥିକ ଦୁଃସ୍ଥିତି ସମୟରେ ୧୨.୨୫ଲକ୍ଷ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି । ଏହି ପରିବାରଗୁଡ଼ିକୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହୟତା ରାଜ୍ୟ ସରକାର ଯୋଗାଇ ଦେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଞ୍ଜାମ ଓ କଳାହାଣ୍ଡି ଆଦି ଜିଲ୍ଲାର ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ ।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପକ୍କା ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ସହାୟତା ପ୍ରସଙ୍ଗରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ବିଜେପିର ଆଭିମୁଖ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟ କରି ଶ୍ରୀ ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସୁନା ପଠାଇଲେ, ବିଜେଡି ଏଠି ଭେଣ୍ଡି ଦେଲା। ଘର ସହାୟତା ବଂଟନ ପ୍ରସଙ୍ଗରେ ବିଜେଡିକୁ ୮ଟି ପ୍ରଶ୍ନ ପଚାରି ତା’ର ଜବାବ ରଖିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘର ପିଛା ଦେଉଥିବା ମୋଟ ଟଙ୍କାର ୩ ପ୍ରତିଶତରୁ କମ୍ ଟଙ୍କା ଦେଇ ରାଜ୍ୟର ଗରିବଙ୍କୁ ବିଜେଡି ଭଣ୍ଡାଉଛି। ପ୍ରଧାନମନ୍ତ୍ରୀ ଘର ପିଛା ଟଙ୍କା ଦେଲେ ୧.୭୦ଲକ୍ଷ ଟଙ୍କା, କିନ୍ତୁ ବିଜେଡି ଏଠି ୫ହଜାର ଟଙ୍କା ଦେଇ ଗରିବଙ୍କୁ ଭଣ୍ଡାଉଛି। ବିଜେଡିର ୫ହଜାର ଟଙ୍କା ଘର ସହାୟତା ହେଉଛି ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା ସଦୃଶ । ଆବାସ ପ୍ଲସ ୱେବସାଇଟରେ ୬ଥର ସମୟସୀମା ବୃଦ୍ଧି ପରେ ବି ହିତାଧିକାରୀଙ୍କ ତାଲିକା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ କାହିଁକି? ୧ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଗଲା କୁଆଡ଼େ? ୯ଟି ଜିଲ୍ଲାରେ ଘର ଆବଂଟନରେ ଶୂନ ହୋଇଛି କି ନାହିଁ । ୨୦୧୯ ସୁଦ୍ଧା ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା କରିବାକୁ ଦେଇଥିବା ପ୍ରତିଶ୍ରୁତି ଗଲା କୁଆଡ଼େ? ରାଜ୍ୟ ସରକାର ଦେଉଥିବା ସହାୟତା ରାଶିର ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରିବାକୁ ବିଜେପି ଦାବି କରିଛି ।

Leave A Reply

Your email address will not be published.