ମାଲକାନଗିରିରେ ବିମାନ ବନ୍ଦର ନିର୍ମାଣ ପାଇଁ ୩୩ କୋଟି ଟଙ୍କାର ଟେଣ୍ଡର

0

ମାଲକାନଗିରି,୧୯।୯: ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ନିର୍ମାଣ ନିମନ୍ତେ ଇତିମଧ୍ୟରେ ୩୩ କୋଟି ଟଙ୍କାର ଟେଣ୍ଡର ଡ଼କାଯାଇ ପ୍ରକ୍ରିୟା ଶେଷ ହୋଇଛି। ୨୦୨୪ ମସିହା ସୁଦ୍ଧା ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଠିକା କମ୍ପାନିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ବର୍ଷ ମଧ୍ୟରେ ମାଲକାନଗିରି ଆକାଶରେ ଉଡ଼ିବ ଉଡ଼ାଜାହାଜ।

ରାଜ୍ୟର ଶେଷ ସୀମା ଉପାନ୍ତ ଇଲାକାରେ ଥିବା ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ଏକଦା ମାଓଗଡ଼ ଭାବେ ପରିଚିତ ଥିବା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଏବେ ଆକାଶ ମାର୍ଗରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯୋଡ଼ି ହେବା ସହ ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ ଓ ଅନ୍ୟନ ଉନ୍ନୟନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଅଗ୍ରଗତି ହୋଇପାରିବ ବୋଲି ଜଣାପଡ଼ିଛି।

୨୦୨୪ ପ୍ରଥମ ତ୍ରୟମାସିକ ସୁଦ୍ଧା ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିମାନବନ୍ଦର ନିର୍ମାଣ ପାଇଁ ୯୪ ହେକ୍ଟର ଜମି ଅଧିଗ୍ରହଣ କରାଯାଇ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ ଏଥିପାଇଁ ଜମିର କିସମ ପରିବର୍ତ୍ତନ କାର୍ଯ୍ୟ ସମ୍ପାଦିତ ହୋଇଥିବା ଜଣାପଡ଼ିଛି।ବିମାନବନ୍ଦର ନିର୍ମାଣ ପାଇଁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଏବଂ ୩୩ ଏକର ଜଙ୍ଗଲ ଜମି ଆବଶ୍ୟକ ଥିଲା। ଏଏଆଇ ପକ୍ଷରୁ ଅବଷ୍ଟାକଲ୍‍ ଲିମିଟେସନ୍‍ ସର୍ଫେସ (ଓଏଲ୍‍ଏସ୍‍) ସର୍ଭେ ସମାପ୍ତ ହୋଇସାରିଛି। ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ୫୪ ପରିବାରକୁ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ବିମାନବନ୍ଦର ଦ୍ୱାରା ବିସ୍ଥାପିତ ହେଉଥିବା ପରିବାରଙ୍କ ପାଇଁ ବାସଗୃହ ନିର୍ମାଣ ହୋଇ ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା କଡ଼ରେ ସ୍ୱତନ୍ତ୍ର ସୁବିଧା ଥାଇ କଲୋନୀ ପ୍ରତିଷ୍ଠା କରଯାଇଛି । ପୂର୍ବରୁ ଏହି ବିମାନବନ୍ଦର ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୨୯ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଏବେ ତାହା ୫୯ କୋଟିକୁ ବୃଦ୍ଧି ପାଇଛି।

ଇତିମଧ୍ୟରେ ଭିତ୍ତିଭୂମି ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ  ଟେଣ୍ଡର ଆହ୍ୱାନ କରା ଇଥିଲା।କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ତାରା ତାରିଣୀ କନଷ୍ଟ୍ରକସନ କମ୍ପାନୀ ଲିମିଟେଡ଼ ସଂସ୍ଥା ୩୩ କୋଟି ଟଙ୍କାର ଟେଣ୍ଡର ନେଇଛନ୍ତି। ସେ କମ୍ପାନୀ ଖୁବ ଶୀଘ୍ର କାମ ଆରମ୍ଭ କରି ଆସନ୍ତା ଦୁଇବର୍ଷ ମଧ୍ୟରେ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହୋଇ ମାଲକାନଗିରି ରୁ ବିମାନ ଚଳା ଚଳ ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍‍ ବରିଷ୍ଠ ଅଧିକାରୀଙ୍କ ସହିତ ବିମାନବନ୍ଦର ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଗତ ଏପ୍ରିଲ ମାସରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମାଲକାନଗିରି ଗସ୍ତ କରି ବିମାନବନ୍ଦର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବ୍ୟବସାୟ,ବାଣିଜ୍ୟ,ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ କ୍ଷେତ୍ର ବେଶ୍‍ ସମୃଦ୍ଧ ହୋଇପାରିବ ବୋଲି ମୁଖ୍ୟ ସଚିବ କହିଥିଲେ। ମାଲକାଗିରିରେ ‘୨-ବି’ ଶ୍ରେଣୀର ବିମାନବନ୍ଦର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରହିଛି ବୋଲି ଜଣାପଡିଛି ।

Leave A Reply

Your email address will not be published.