୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା: ଜିଲ୍ଲାବାସୀଙ୍କୁ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

0

ଭୁବନେଶ୍ୱର, ୧୯।୮: ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଥିବା ବେଳେ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କାରେ ୪ଟି ଜିଲ୍ଲାର ଲୋକମାନଙ୍କୁ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି। ଶ୍ରୀ ପଟ୍ଟନାୟକ ଆଜି ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାତିରୁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏଥିରେ ଭୟଭୀତ ନ ହୋଇ ପ୍ରଶାସନର ନିର୍ଦ୍ଦେଶକୁ ପାଳନ ଓ ସହଯୋଗ କରିବାକୁ ସେ ଜିଲ୍ଲାବାସୀଙ୍କୁ ନିବେଦନ କରିବା ସହ ତାଙ୍କ ପାଇଁ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି। ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଶ୍ରୀ ପଟ୍ଟନାୟକ ଅପିଲ୍ କରିଛନ୍ତି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ କେନ୍ଦୁଝର,ଭଦ୍ରକ,ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଶନିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ୨୦ସେଣ୍ଟିମିଟରରୁ ଅଧିକ ବର୍ଷ ହେବାର ଆଶଙ୍କା କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଘଂଟାପ୍ରତି ୫୫ରୁ ୬୫କିମି ବେଗରେ ପବନ ବୋହିବାର ସମ୍ଭାବନା ଅଛି। ଏହି ପ୍ରବଳ ବର୍ଷା ଆଶଙ୍କାରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ମଧ୍ୟ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ନିମନ୍ତେ ଶୁକ୍ରବାର ଓ ଶନିବାର ଦୁଇଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି। ପର୍ଯ୍ୟଟନସ୍ଥଳୀରେ ରାତିରେ ନରହିବା ପାଇଁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି।

ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ତୀବ୍ର ଅବପାତର ରୂପ ନେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ଏହି ବର୍ଷା ଯୋଗୁ ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ବନ୍ୟା ଆସିବାର ମଧ୍ୟ ଆଶଙ୍କା କରାଯାଉଛି। ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ,ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଯାଜପୁରର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି।

 

Leave A Reply

Your email address will not be published.