ଠାବ ହୋଇ ପାରୁନାହାନ୍ତି ରାଜ୍ୟକୁ ଆସିଥିବା ୪୦% ବିଦେଶ ଫେରନ୍ତାକୁ

0

ଭୁବନେଶ୍ବର, ୬।୧୨: ଓମିକ୍ରନକୁ ନେଇ ସମଗ୍ର ଦେଶକୁ ଘାରିଛି ଚିନ୍ତା। ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ଏଯାଏ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦%ଙ୍କୁ ଠାବ କରାଯାଇପାରୁନି। ସେମାନେ ଦେଇଥିବା ଠିକଣା ଭୁଲ୍‌ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ରଗୁଡ଼ିକରୁ ଓଡ଼ିଶାକୁ ଆସିଛନ୍ତି ୮୦୦ରୁ ଅଧିକ ଯାତ୍ରୀ। ହେଲେ ସେମାନଙ୍କ ମଧ୍ୟରୁ  ୪୦%ଙ୍କୁ ଠାବ କରାଯାଇପାରୁନି। ଏହି ବ୍ୟକ୍ତିମାନେ ଏୟାର ସୁବିଧା ପୋର୍ଟାଲରେ ଭୁଲ ଫୋନ ନମ୍ବର ଓ ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି। ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି। ଏହା ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିନି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି,  ଓମିକ୍ରନ୍‌ ଭାରିଆଣ୍ଟରେ ଆକ୍ରାନ୍ତ ହୋଇ କାହାର ମୃତ୍ୟୁ ହୋଇଥିବା ଏ ଯାଏ ନଜର ଆସିନି। ହେଲେ ଏହାକୁ ନେଇ ଚିନ୍ତା ଲାଗି ରହିଛି। ଏହା କେତେ କ୍ଷୀପ୍ର ବେଗରେ ଅନ୍ୟଙ୍କୁ ସଂକ୍ରମିତ କରୁଛି। ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)  ପରୀକ୍ଷା ଚଲାଇଛି। ଆସନ୍ତା ୫ରୁ ୭ ଦିନ ମଧ୍ୟରେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ଦେବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।

ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପୋର୍ଟାଲ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ଖୁବ୍‌ ସହଜରେ ସେମାନଙ୍କ ଟ୍ରେସିଂ କରାଯିବ। ତା’ସହିତ କଣ୍ଟାକ୍ଟ ଟ୍ରେସିଂ କରାଯିବ  ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ଓମିକ୍ରନକୁ ନେଇ ଭୟ କରିବାର ନାହିଁ। କେବଳ ସତର୍କ ରହିବାର ଅଛି। ଟିକାକରଣକୁ ଜୋରଦାର କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

ଅନ୍ୟପକ୍ଷରେ ଭୁବନେଶ୍ୱରସ୍ଥିତ  ଆଇଏଲ୍ଏସ୍‌ର ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି,  ନଭେମ୍ବର ୨୪ ପରେ ରିସ୍କ ଦେଶରୁ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସାମ୍ପଲ ଜିନମ୍ ସିକ୍ୟୁଏନ୍‌ସିଂ ଆମ ପାଖକୁ ଆସିଛି। ଶୁକ୍ରବାର ସେ ସବୁର ରିପୋର୍ଟ ଆସିବ।

Leave A Reply

Your email address will not be published.