ବିଏମ୍‌ସିର ୬୭ ନମ୍ବର ୱାର୍ଡରେ ୭ଲକ୍ଷ ୨୫ହଜାର ୭୬୫ଜଣ ଭୋଟର

0

ଭୁବନେଶ୍ବର, ୨୪।୨: ପୌର ନିର୍ବାଚନ ପାଇଁ କେବଳ ଭଦ୍ରକର ୪ ନମ୍ବର ୱାର୍ଡକୁ ଛାଡ଼ି ବାକି ୧୦୬ଟି ପୌର ପରିଷଦ ଓ ଏନ୍‌ଏସି ଏବଂ ୩ଟି ମହାନଗର ନିଗମରେ କାଉନ୍‌ସିଲର୍‌/କର୍ପୋରେଟର୍‌, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ୱାର୍ଡ ପୁର୍ନଗଠନ ପ୍ରକ୍ରିୟା ଶେଷ ହୋଇଛି ବୋଲି ରାଜ୍ୟ ସରକାର ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ଜାରି ହୋଇଛି। ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୬୭ଟି ୱାର୍ଡରେ ୭ଲକ୍ଷ ୨୫ହଜାର ୭୬୫ଜଣ ଭୋଟର ଅଛନ୍ତି। ୨୦୧୪ ଭୋଟର ତାଲିକା ତୁଳନାରେ ଚଳିତ ଥର ଚୂଡ଼ାନ୍ତ ତାଲିକାରେ ଅଧିକ ୧.୨୭ଲକ୍ଷ ଭୋଟର ସାମିଲ ହୋଇଥିବା ଜଣାପଡ଼ିଛି।

ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମହାନଗର ନିଗମର ୬୭ଟି ୱାର୍ଡରେ ମୋଟ ୭୦୫ଟି ବୁଥ ପ୍ରସ୍ତୁତ ହୋଇଛି । ଏଥିରେ ୭.୨୫ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏହି ଚୂଡ଼ାନ୍ତ ଭୋଟର ତାଲିକା ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ଜୋନାଲ ଅଫିସରେ ଉପଲବ୍ଧ ହେବ । ବିଏମସିର ସମସ୍ତ ୱାର୍ଡ ଅଫିସକୁ ମଧ୍ୟ ଏହି ତାଲିକା ପଠାଇ ଦିଆଯିବ। ବିଏମସିର ଏହି ଚୂଡ଼ାନ୍ତ ଭୋଟର ତାଲିକାରେ ସର୍ବାଧିକ ଭୋଟର ୱାର୍ଡ ନମ୍ବର- ୮ରେ ରହିଛନ୍ତି। ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ଏହି ୱାର୍ଡରେ ଭୋଟର ସଂଖ୍ୟା ସର୍ବାଧିକ ୨୬୨୯୮ ବୋଲି ଜଣାପଡ଼ିଛି। ବିଏମସିର ମୋଟ ଭୋଟରଙ୍କ ମଧ୍ୟରେ ୩ଲକ୍ଷ ୯୪ହଜାର ୫୧୦ଜଣ ପୁରୁଷ ଓ ୩ଲକ୍ଷ ୩୦ହଜାର ୮୧୫ଜଣ ମହିଳା ଭୋଟର ଓ ୪୪୦ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

ସୂଚନାଯୋଗ୍ୟ, ବିଏମସି ପକ୍ଷରୁ ପୂର୍ବରୁ ଜାରି ଚିଠା ଭୋଟର ତାଲିକାରେ ମୋଟ ୭ଲକ୍ଷ ୨୭ହଜାର ୪୫୬ଜଣ ଭୋଟରଙ୍କୁ ଚିହ୍ନଟ କରାଯାଇଥିଲା। ଭୋଟରମାନଙ୍କୁ ଫେବୃୟାରୀ ୧୬ତାରିଖ ସୁଦ୍ଧା ଏହି ଚିଠା ତାଲିକାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ତାହା ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା। ଫେବୃୟାରୀ ୨୪ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବାକୁ ସ୍ଥିର ହୋଇଥିଲା।

ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ସମେତ ଅନ୍ୟ ସମସ୍ତ ପୌରାଂଚଳରେ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଖୁବକମ୍ ଦିନ ମଧ୍ୟରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.