ଆସନ୍ତାକାଲିଠାରୁ ନବମ, ଏକାଦଶ କ୍ଲାସ ବନ୍ଦ

0

ଭୁବନେଶ୍ବର, ୭।୪: ଆସନ୍ତାକାଲିଠାରୁ ନବମ ଓ ଏକାଦଶ ଶ୍ରେଣୀରେ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଉଦ୍ଦିଷ୍ଟ।

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଭାଗର ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି କୋଭିଡ୍ ସଂକ୍ରମଣ ବ୍ୟାପୁଥିବାରୁ ସ୍କୁଲ ଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇ ଶ୍ରେଣୀର ପିଲାମାନେ ଯଦି ହଷ୍ଟେଲ୍ କିମ୍ବା ଆବାସିକ ସ୍କୁଲରେ ରହୁଥିବେ, ତାହାହେଲେ ସେମାନେ ତୁରନ୍ତ ଘରକୁ ଫେରିଯିବାକୁ କୁହାଯାଇଛି। ଯଦି ଆବଶ୍ୟକ ପଡ଼ିବ ତା’ହେଲେ ସ୍କୁଲ ଚାହିଁଲେ ଅନଲାଇନ୍ କ୍ଲାସ କରିପାରିବ।

ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପୂର୍ବଭଳି ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଦୁଇ ଶ୍ରେଣୀର ପିଲା ବୋର୍ଡ ଓ କାଉନସିଲ ପରୀକ୍ଷା ଦେବାର ଥିବାରୁ ସେମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହୁଛନ୍ତି ସେମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ହାତ ସାନିଟାଇଜ୍ ସହ କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି । ଗତ ଦୁଇମାସ ପୂର୍ବରୁ ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲକୁ ଯାଇ ପାଠ ପଢ଼ିବା ନିମନ୍ତେ ଅନୁମତି ଦେଇଥିଲେ। ଏବେ ପୁଣି ଥରେ ମହାମାରୀ କରୋନା ବ୍ୟାପୁଥିବାରୁ ରାଜ୍ୟ ସରକାର ପୁଣି ଥରେ ନବମ ଓ ଏକାଦଶ ଶ୍ରେଣୀ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

 

Leave A Reply

Your email address will not be published.