ୟୁଟ୍ୟୁବ୍‌ରେ ନବମ ଶ୍ରେଣୀ ସମେଟିଭ୍ ପରୀକ୍ଷା ପ୍ରଶ୍ନ ସହ ଉତ୍ତର

କ୍ରାଇମ୍‌ବ୍ରାଞ୍ଚକୁ ଗଲା ମାମଲା

0

କଟକ, ୧/୧୧: ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ନବମ ଶ୍ରେଣୀ ପ୍ରଥମ ସମେଟିଭ୍‌ ଆସେସ୍‌ମେଣ୍ଟ୍‌ (ଏସ୍‌ଏ-୧) ପରୀକ୍ଷାର ପ୍ରଶ୍ନପତ୍ର ସହ ଉତ୍ତର ୟୁଟ୍ୟୁବ୍‌ରେ ଭାଇରାଲ୍‌ ହୋଇଛି। ଏଭଳି ଘଟଣାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ କ୍ଷୁବ୍‌ଧ ହେବା ସହ କ୍ରାଇମ୍‌ବ୍ରାଞ୍ଚରେ ଏତଲା ଦାଏର କରିଛନ୍ତି ।

ଏତଲାରୁ ମିଳିଥିବା ତଥ୍ୟ ଅନୁସାରେ ପରୀକ୍ଷାର ଦୁଇ ଘଣ୍ଟା ଆଗରୁ ୟୁଟ୍ୟୁବ୍‌ରେ ଏମ୍‌ପି ଷ୍ଟଡି ପଏଣ୍ଟ ନାମକ ଏକ ଅନ୍‌ଲାଇନ୍‌ କୋଚିଂ ସଂସ୍ଥା ପ୍ରଶ୍ନପତ୍ର ଓ ଏହାର ଉତ୍ତର ଭାଇରାଲ୍‌ କରୁଥିବା ଜଣାପଡ଼ିଛି। ଏହି ଘଟଣା ପଛରେ ସେଣ୍ଟର୍‌ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ନବମ ଶ୍ରେଣୀ ଏସ୍‌ଏ-୧ ପରୀକ୍ଷାର ସଂସ୍କୃତ ଓ ଗଣିତ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଜଣାଯାଇଛି ।

ପରୀକ୍ଷା ପୂର୍ବରୁ ଅନ୍‌ଲାଇନ୍‌ରେ ଭାଇରାଲ୍‌ ହୋଇଥିବା ସଂସ୍କୃତ ପ୍ରଶ୍ନପତ୍ରକୁ ୧୩ ହଜାର ଓ ଗଣିତ ପ୍ରଶ୍ନପତ୍ରକୁ ୩୫ହଜାରରୁ ଅଧିକ ଦର୍ଶକ ଦେଖିଥିବା ଜଣାଯାଇଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବୋର୍ଡର ଏତଲା ଆଧାରରେ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । କ୍ରାଇମବ୍ରାଞ୍ଚ ସାଇବର୍‌ ସେଲ୍‌ର ଅଧିକାରୀ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି । ଏସ୍‌ଏ-୧ର ଆଗକୁ ଥିବା ଅନ୍ୟ ପରୀକ୍ଷାର ପ୍ରଶ୍ନପତ୍ର ଯେପରି ଭାଇରାଲ୍‌ ନହୁଏ ସେଥିପ୍ରତି ସଜାଗ ରହିବାକୁ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.