ଫେବୃଆରି ପହିଲାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର

0

ଭୁବନେଶ୍ବର, ୩୦।୧: ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିବା ପରେ ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏସଓପି ଜାରି କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାସକୁ ୨୫ଦିନ ପାଇଁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ। ଏହି କେନ୍ଦ୍ରରେ ୩ରୁ ୬ବର୍ଷ ବୟସର ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଫେବୃୟାରି ପହିଲାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବା ନିମନ୍ତେ ଆବଶ୍ୟକ ଏସଓପି ଜାରି କରିଛନ୍ତି। ଜିଲ୍ଲାର ଆଇସିଡିଏସ୍‌ (ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ) ଅଧିକାରୀଙ୍କୁ ଏହି ଏସ୍‌ଓପିକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି।

ଏସ୍‌ଓପି ଅନୁସାରେ, ଅଙ୍ଗନବାଡ଼ି ଦିଦି ଓ ସହାୟିକାଙ୍କ ସମେତ ସମସ୍ତ ପିଲା (୩ରୁ ୬ବର୍ଷ ବୟସର) ଯେ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ରହିବେ ନିଶ୍ଚିତ ଭାବେ ମୁହଁରେ ମାସ୍କ ପିନ୍ଧିବେ। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ୬ ଫୁଟ ଦୂରତ୍ୱରେ ବସାଇବା ପାଇଁ ବ୍ୟବସ୍ଥା ରହିବ। ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଲେ ‘ଆଜି ମୋ ଜନ୍ମଦିନ’ ଗୀତ ଗାଇବା ଶୈଳୀରେ ସେମାନଙ୍କୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ କୋଭିଡ୍ ଗାଇଡଲାଇନ ପାଳନ କରାଯିବ।

Leave A Reply

Your email address will not be published.