ପୁଲିସ୍‌କୁ ଚକ୍‌ମା ଦେଇ ଗ୍ୟାଙ୍ଗଷ୍ଟାର୍‌ ଟିଟୋ ଫେରାର୍‌

0

କଟକ, ୧୦।୪: କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ସେକ୍‌ ହାଇଦର୍‌ ଆଜି ପୁଲିସ୍‌ ଆଖିରେ ଧୂଳି ଦେଇ ଫେରାର୍‌ ହେବାରେ ସଫଳ ହୋଇଛି। ଏସ୍‌ସିବି ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ସେ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ହାଇଦର୍‌ର ପ୍ରହରା ଦାୟିତ୍ୱରେ ନିୟୋଜିତ ଥିବା ସମ୍ବଲପୁର ଜେଲ୍‌ର ଗାର୍ଡଙ୍କୁ ନିଶା ଦେଇ କିମ୍ବା ନିଶାଦ୍ରବ୍ୟ ଶୁଂଘାଇ ସେ ଚମ୍ପଟ ମାରିଥିବା କୁହାଯାଉଛି। ଖବର ପାଇ କଟକ ପୁଲିସ ତାକୁ ଖୋଜିବା ପାଇଁ ସହରର ସମସ୍ତ ସୀମା ସିଲ୍‌ କରି ତନାଘନା ଜାରି ରଖିଛି। ଉପକୂଳର ୪ଟି ଜିଲ୍ଲା ପୁଲିସକୁ ଏନେଇ ଆଲର୍ଟରେ ରଖାଯାଇଛି। ଏପରିକି ହାଇଦର୍‌କୁ ଖୋଜିବା ପାଇଁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି।

ସମ୍ବଲପୁର ଜେଲ୍‌ରେ ସଜା କାଟୁଥିବା ହାଇଦରର ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ଗଲା ୧୨ ଦିନ ତଳେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନ୍‌ରେ ସେ ଚିକିତ୍ସାଧୀନ ଥିଲା। ଆଜି ସନ୍ଧ୍ୟାରେ ହାଇଦରର କିଛି ସହଯୋଗୀ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର୍‌ କରାଇଥିବା ଆଶଙ୍କା କରାଯାଉଛି। ତେବେ ଏତେ ବଡ଼ ଗ୍ୟାଙ୍ଗ୍‌ଷ୍ଟର ହସପିଟାଲର ସୁରକ୍ଷା ବଳୟ ଭିତରୁ ଫେରାର୍‌ ହେବା ବିଷୟ ସମସ୍ତଙ୍କୁ ଚକିତ କରିଛି ।

କେନ୍ଦ୍ରାପଡ଼ାର ବିଗତ ଦିନର ଗ୍ୟାଙ୍ଗ୍‌ଷ୍ଟର ହାଇଦର ସେକ ଚୁନା ଏବଂ ରଶ୍ମି ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଭୋଗୁଛି । ପ୍ରଥମେ ତାକୁ କେନ୍ଦ୍ରାପଡ଼ାର ବାରିମୂଳ ସବ୍‌ ଜେଲ୍‌ରେ ରଖାଯାଇଥିଲା । ମାତ୍ର ଏକ ସମୟରେ ଉକ୍ତ ଜେଲ୍‌ରେ ହାଇଦର, ତାର ପୁଅ ଓ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ରହିଥିବାରୁ ସେଠାରେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲା । ଫଳରେ ତିନି ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଭିନ୍ନ ଭିନ୍ନ ଜେଲ୍‌କୁ ପଠାଇ ଦିଆଗଲା । ଟିଟୋକୁ ଝାରପଡ଼ା, ହାଇଦରର ପୁଅକୁ ଚୌଦ୍ୱାର ଓ ହାଇଦରକୁ ସମ୍ବଲପୁର ଜେଲ୍‌ ପଠାଇ ଦିଆଯାଇଥିଲା । ଦୀର୍ଘ ଦିନ ହେବ ହାଇଦର ସମ୍ବଲପୁର ଜେଲ୍‌ରେ ଆଜୀବନ ସଜା କାଟୁଥିଲା । ମାତ୍ର ଦୁଇ ସପ୍ତାହ ପୂର୍ବରୁ ତାର ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଦେଲା । ପେଟରେ ଯନ୍ତ୍ରଣା ହେବାରୁ ହାଇଦରକୁ ପ୍ରଥମେ ବୁର୍ଲା ମେଡ଼ିକାଲ୍‌ରେ ଭର୍ତ୍ତି କରାଗଲା। ଉନ୍ନତ ଚିକିତ୍ସା ପାଇଁ ୧୨ ଦିନ ତଳେ ହାଇଦରକୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା । ଏସ୍‌ସିବି ଆସିବା ପରେ ତାର ରହିବା ପାଇଁ ସର୍ଜରୀ ବିଭାଗର କ୍ୟାବିନ୍‌ ନମ୍ବର ୫ ଦିଆଗଲା । ହାଇଦର ସହିତ ୩ଜଣ ଜେଲ୍‌ ଗାର୍ଡ ସୁରକ୍ଷାରେ ନିୟୋଜିତ ହେଉଥିଲେ। ୮ ଘଣ୍ଟିଆ ସିଫ୍ଟରେ ତିନି ଜଣ ଗାର୍ଡ କ୍ୟାବିନ୍‌ ନମ୍ବର ୫ ସମ୍ମୁଖରେ ଡ୍ୟୁଟି ଦେଉଥିଲେ। ଆଜି ଅପରାହ୍ନରେ ମଧ୍ୟ ଜଣେ ଜେଲ୍‌ ଗାର୍ଡ ଡ୍ୟୁଟି ଦେଉଥିଲେ। ସନ୍ଧ୍ୟା ସମୟରେ ହଠାତ୍‌ ହସ୍ପିଟାଲ୍‌ର ଉକ୍ତ ୱାର୍ଡରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଦେଖିବାକୁ ପାଇଥିଲେ କି, ଗାର୍ଡ ଜଣକ ବେହୋସ ହୋଇ ପଡ଼ିଛନ୍ତି। କ୍ୟାବିନ୍‌ ଭିତରେ ହାଇଦର ନାହିଁ । ଏହା ଜାଣିବା ପରେ ପ୍ରଥମେ ଫାଣ୍ଡି ପୁଲିସ ପହଞ୍ଚି ସ୍ଥିତି ଯାଂଚ କରିଥିଲା ।

ପରେ ମଙ୍ଗଳାବାଗ ଥାନା ଅଧିକାରୀ, ଜୋନ୍‌ ଏସିପି ଓ ଖୋଦ୍‌ ଡିସିପି ପ୍ରତୀକ ସିଂହ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଜଣେ ହାର୍ଡକୋର୍‌ ଅପରାଧୀ ଫେରାର୍‌ ହେବା ବିଷୟ ଜାଣିବା ପରେ କଟକ ପୁଲିସ୍‌ର କ୍ରାଇମ୍‌ ୟୁନିଟ୍‌କୁ ଆକ୍ଟିଭ୍‌ କରାଯାଇଛି । କଟକ ସହରର ସବୁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରି ଯାଞ୍ଚ ଆରମ୍ଭ ହୋଇଛି । ଉପକୂଳ ଜିଲ୍ଲା କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଳାର ପୁଲିସକୁ ମଧ୍ୟ ଆଲର୍ଟ କରି ଯାଞ୍ଚ କରାଯାଉଛି । ତେବେ ୨୪ ଘଣ୍ଟା ମଧ୍ୟରେ ହାଇଦରକୁ ଧରିବା ପାଇଁ ସବୁ ଉଦ୍ୟମ ହେଉଥିବା ଓ ସେ ନିଶ୍ଚିତ ଧରାପଡ଼ିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଅନ୍ୟପଟେ ଜେଲ୍‌ ଗାର୍ଡକୁ ଯୋଜନାବଦ୍ଧ ଭାବେ ହାଇଦରର ସହଯୋଗୀମାନେ ଚା’ ଓ ବିସ୍କୁଟ୍‌ରେ ନିଶା ଦେଇଥିବା କିମ୍ବା ନିଶାଯୁକ୍ତ ସ୍ପ୍ରେ ବ୍ୟବହାର କରି ଏଭଳି କାଣ୍ଡ ଭିଆଇଥିବା ପୁଲିସ ଆଶଙ୍କା କରୁଛି ।

 

Leave A Reply

Your email address will not be published.