ଭୁବନେଶ୍ବର, ୩।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଏ.ଜି ଛକରେ ଥିବା ଓ.ଏସ୍.ଆଇ.ଟି.ସିର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ର ଯାତ୍ରା ଶୁଭାରମ୍ଭ କରିଛନ୍ତି। ଯାତ୍ରୀମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି। ସୁରକ୍ଷା ପାଇଁ ସିସି ଟିଭି କ୍ୟାମେରା, ଆରାମଦାୟକ ସିଟ୍, ଆପାତକାଳୀନ ବଟନ୍, ଭେକିଲ୍ ଟ୍ରାକିଂ ସିଷ୍ଟମ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବସ୍ ମଧ୍ୟରେ ଯାତ୍ରୀମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ ନିମନ୍ତେ ସିଷ୍ଟମ ଆଇଟମ୍ ଭଳି ବିଭିନ୍ନ ବୈଷୟିକ ଜ୍ଞାନକୌଶଳଯୁକ୍ତ ସୁବିଧା ରହିଛି। ଏହି ବସ୍ଗୁଡ଼ିକ ଅନ୍ତଃରାଜ୍ୟ ବସ୍ ପରିବହନରେ ମଧ୍ୟ ନିୟୋଜିତ ହେବ। ସୂଚନାଯୋଗ୍ୟ ଯେ ନିଗମ ପକ୍ଷରୁ ଚଳାଚଳ କରିବାକୁ ଥିବା ୧୮୦ଟି ନୂଆ ବସ୍ ମଧ୍ୟରୁ ଆଜି ୧୧୦ଟିର ଶୁଭାରମ୍ଭ ହୋଇଥିବା ବେଳେ ଆଉ ୭୦ଟି ବସ୍ ଖୁବଶୀଘ୍ର ଚଳାଚଳ କରିବ। ବର୍ତ୍ତମାନ ଓ.ଏସ୍.ଆଇ.ଟି.ସି ପକ୍ଷରୁ ୨୮ଟି ଜିଲ୍ଲାରେ ତଥା ୪୩ଟି ଆନ୍ତଃରାଜ୍ୟ ମାର୍ଗରେ ୩୯୮ଟି ବସ୍ ଆନ୍ଧ୍ରପ୍ରଦେଶ, ପଶ୍ଚିମବଂଗ, ଝାରଖଣ୍ଡ ଓ ଛତିଶଗଡ଼କୁ ସଂଯୋଗ କରୁଛି। ଆଜି ଯାତ୍ରା ଆରମ୍ଭ କରିଥିବା ୧୧୦ଟି ବସ୍ ଗୁଡିକ ଭଲ୍ବୋ, ଏସି ଅଲଟ୍ରା ଡିଲକ୍ସ, ନନ୍ ଏସି ଡିଲସ୍କ ତଥା ନନ୍ଏସି ହାଇ କମ୍ପ ଅନ୍ତର୍ଭୁକ୍ତ ଅଟେ।