ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ନିମନ୍ତେ ମନୋନୀତ

0

ଭୁବନେଶ୍ୱର,୧୧।୧୧: ଓଡ଼ିଆ ସିନେମା ନିର୍ଦ୍ଦେଶକ ସୁବାଷ ସାହୁଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ନନ-ଫିଚର ଚଳଚିତ୍ର ‘ତିନ ଅଧ୍ୟାୟ’ ଏ ବର୍ଷ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଦ୍ୱାରା ଗୋଆଠାରେ ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୫୨ ତମ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି। ଏହି ଚଳଚିତ୍ରଟି ଇଣ୍ଡିଆନ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବ। ଚଳଚିତ୍ର ମହୋତ୍ସବ ପ୍ରତିବର୍ଷ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ନିୟନ୍ତ୍ରିତ ଡିରେକ୍ଟୋରେଟ୍ ଅପ ଫିଲ୍ମ ଫେଷ୍ଟିଭାଲ୍‌ସ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଥାଏ। ବଲିଉଡ୍ର ବିଶିଷ୍ଟ ସାଉଣ୍ଡ ଡିଜାଇନର ଶ୍ରୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଳଚିତ୍ରଟି କୋଭିଡ-୧୯ ମହାମାରୀ ଯୋଗୁଁ ସାରା ଭାରତରେ ହୋଇଥିବା ଲକ୍‌ଡାଉନ ସମୟରେ ମୁମ୍ବାଇ ସହରରେ ନିର୍ମିତ ହୋଇଥିଲା। ଏହି ଚଳଚିତ୍ରରେ ଜୀବନର ୩ଟି ପର୍ଯ୍ୟାୟ ବିପତି, ଉତ୍ପତି ଓ ଚକ୍ରକୁ ବୁଝାଇବାକୁ ଉଦ୍ୟମ କରାଯାଇଛି। ଏହା ଭାରତୀୟ ଦର୍ଶନ ଉପରେ ପର୍ଯ୍ୟବେଶିତ ବୋଲି ଶ୍ରୀ ସାହୁ କହିଛନ୍ତି। ଶ୍ରୀ ସାହୁଙ୍କ ପତ୍ନୀ ଶ୍ରୀମତି ସୁପ୍ରଭା ସାହୁଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚିତ୍ର ୨୦୩ଟି ନନ-ଫିଚର ଫିଲ୍ମ ମଧ୍ୟରୁ ଚୟନ କରାଯାଇଥିବା ୨୦ଟି ଚଳଚିତ୍ର ମଧ୍ୟରେ ସ୍ଥାନ ପାଇପାରିଛି। ତାଙ୍କ ବାସଗୃହ ନିକଟରେ ସାରା ଦେଶ ଲକଡାଉନ ଦ୍ୱାରା ସ୍ତବ୍ଧ ହୋଇଥିବା ସମୟରେ ଏକ କାଉ ନିଜର ବସା ନିର୍ମାଣ କରୁଥିବା ତାଙ୍କର ଧ୍ୟାନ ଆକର୍ଷଣ କରିଥିଲା। ଅବିରତ ଭାବେ କାଉଟିର ପ୍ରଚେଷ୍ଟାକୁ ମୁଁ ଲକ୍ଷ୍ୟ କରୁଥିଲି ଓ ଏହି ଚଳଚିତ୍ରଟି ଏହି ବିଷୟ ଉପରେ କେନ୍ଦ୍ରିତ ବୋଲି ଶ୍ରୀ ସାହୁ କହିଛନ୍ତି । ଜାତୀୟ ସ୍ତରରେ ପୁରସ୍କୃତ ଏହି ସାଉଣ୍ଡ ଡିଜାଇନର ପୂର୍ବରୁ ‘ତୁମହାରି ସୁଲୁ’, ‘ନିର୍ଜା’, ‘ଏନଏଚ ୧୦’ ଓ ‘କମ୍ମିନେ’ ଭଳି ଚଳଚିତ୍ରରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଶ୍ରୀ ସାହୁ ଜଣେ ଇଲେକ୍‌ଟ୍ରୋନିକ ଇଂଜିନିୟର ହୋଇଥିବା ବେଳେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଡିଗ୍ରି ହାସଲ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ବାଲୁରିଆ ପଂଚାୟତର ଆରଜି ଗ୍ରାମ ନିବାସୀ ଶ୍ରୀ ସାହୁ ବଲିଉଡରେ ଗତ ୨୪ ବର୍ଷ ଧରି କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.