ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ୧୩ଟି ନୂଆ ପ୍ରଫେସର ପଦବୀକୁ ମଞ୍ଜୁରୀ

0

ଭୁବନେଶ୍ୱର ୧/୬ : ରାଜ୍ୟର ପ୍ରମୁଖ କ୍ୟାନସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍ (ଏଏଚ୍‌ପିଜିଆଇସି)ରେ ଆଉ ୧୩ଟି ନୂଆ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦବୀକୁ ରାଜ୍ୟ ସରକାର ଗତକାଲି ମଞ୍ଜୁରୀ ଦେଇଛନ୍ତି । ଗତ ସପ୍ତାହରେ ରାଜ୍ୟ ସରକାର ଏହି ହସ୍ପିଟାଲରେ ୪ଟି ନୂଆ ବିଭାଗ ଖୋଲିବାକୁ ଅନୁମତି ଦେଇଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟରେ ୪ଟି ନୂଆ ବିଭାଗରେ ପାଠପଢ଼ା ହେବ । ଏସବୁ ହେଲା ଡିପାର୍ଟମେଂଟ୍ ଅଫ ଗ୍ୟାଷ୍ଟ୍ରୋଏଂଟ୍ରୋଲୋଜି, ଡିପାର୍ଟମେଂଟ ଅଫ ପ୍ଲାଷ୍ଟିକ ଆଣ୍ଡ ରିକନଷ୍ଟ୍ରକ୍ଟିଭ ସର୍ଜରୀ, ଡିପାର୍ଟମେଂଟ ଅଫ ପାଲିଆଟିଭ୍ ମେଡ଼ିସିନ୍ , ଡିପାର୍ଟମେଂଟ ଅଫ ୟୁରୋ-ଅଙ୍କୋଲୋଜିରେ ପାଠପଢ଼ା ହେବ । ଏହି ସମସ୍ତ ୪ଟି ବିଭାଗରେ ଜଣେ ଲେଖାଏଁ ପ୍ରଫେସର ଓ ୨ଜଣ ଲେଖାଏଁ ଆସୋସିଏଟ୍ ପ୍ରଫେସର ପଦବୀ ସମେତ ନ୍ୟୁକ୍ଲିୟର ମେଡିସିନରେ ଗୋଟିଏ ଆସିଷ୍ଟାଣ୍ଟ ପ୍ରଫେସର ପଦବୀକୁ ମଞ୍ଜୁରୀ ମିଳିଛି । ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ନୂଆ ବିଭାଗରେ ଗୋଟିଏ ଲେଖାଏଁ ୟୁନିଟ୍ ଖୋଲିବ । ଏଥିପାଇଁ ଅର୍ଥ ବିଭାଗର ଅନୁମୋଦନ ମିଳିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ,ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ୭୦୦ରୁ ୧୦୦୦ ରୋଗୀ ଦୈନିକ ଚିକିତ୍ସା ପାଇଁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୫୦ ରୋଗୀ ଦୈନିକ ରାଡିଏସନ୍ ଓ ୫୦୦ ରୋଗୀ କ୍ୟାନସର ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ରାଜ୍ୟର ଏହି ପ୍ରମୁଖ କ୍ୟାନସର ହସ୍ପିଟାଲରେ ଆବଶ୍ୟକ ଭତ୍ତିଭୂମି ନଥିବା ଯୋଗୁ ରୋଗୀ ଓ ସେମାନଙ୍କ ସହାୟକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ଆସିବା ପରେ ରାଜ୍ୟ ସରକାର ସେଠାରେ ୩ଟି ଅସ୍ଥାୟୀ ସେଡ୍ ନିର୍ମାଣ ସହ ବେଡ୍ ସଂଖ୍ୟାକୁ ୨୮୧ରୁ ୫୦୨କୁ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.