ଏଏସ୍ଆଇ ଗୋପାଳ ଦାସ ଗିରଫ, ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ

0

ଝାରସୁଗୁଡ଼ା, ୩୦/୦୧: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହତ୍ୟା ଘଟଣାର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରିବା ପରେ ଆଜି ଗିରଫ କରିଛି। ତାଙ୍କୁ ୭ ଦିନିଆ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ନିକଟରେ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ଜଣାପଡ଼ିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କୁ ଗତକାଲି ବ୍ରଜରାଜନଗର ଗାନ୍ଧୀ ଛକରେ ଏଏସଆଇ ଗୋପାଳଚନ୍ଦ୍ର ଦାସ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସ ତାଙ୍କୁ ଅଟକ ରଖି ଲୁଚାଇ ରଖିଥିଲା। ଗାନ୍ଧୀ ଛକରେ ଗୁଳି କରିଥିବା ଏଏସଆଇଙ୍କୁ ଜେରା କରିବାରେ ବାଧା ଉପୁଜିବ ବୋଲି ଆଶଙ୍କା କରି ତାଙ୍କୁ ସୁନ୍ଦରଗଡ଼ ରିଜର୍ଭ ଲାଇନ୍‌କୁ ରାତିରେ ଆଣି ରଖାଯାଇଥିଲା। ରାତିରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅରୁଣା ବୋଥ୍ରା ସୁନ୍ଦରଗଡ ଆସି ସରକାରୀ ଅତିଥି ଭବନରେ ରାତ୍ରୀ ଯାପନ କରିଥିଲେ। ସୋମବାର ସକାଳ ୧୦ଟାରେ ରିଜର୍ଭ ଲାଇନକୁ ଯାଇ ଗୋପାଳ ଚନ୍ଦ୍ର ଦାସଙ୍କୁ ଜେରା କରିଛନ୍ତି । ରିଜର୍ଭ ଲାଇନ୍‌ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସେପଟେ ନବ ଦାସଙ୍କ ଉପରେ ଗୁଳିମାଡ଼ ନେଇ ବ୍ରଜରାଜନଗର ଆଇଆଇସି ଏତଲା ଦେଇଛନ୍ତି। ହତ୍ୟା ଉଦ୍ଦେଶ୍ୟରେ ଏଏସଆଇ ଗୋପାଳ ଦାସ ଫାଇରିଂ କରିଥିବା ଉଲ୍ଲେଖ ରହିଛି। ମନ୍ତ୍ରୀ ନବ ଦାସଙ୍କର ରବିବାର ବ୍ରଜରାଜନଗର ଗାନ୍ଧୀ ଛକରେ ଲିଫ୍ଟସିଫ୍ଟ ବିଲଡିଂରେ ଉଦଘାଟନୀ କାର୍ଯ୍ୟକ୍ରମ ଥିଲା। ଏତଲା ଅନୁସାରେ ଗତକାଲି ଏଏସଆଇ ଗୋପାଳ ଦାସ ଟ୍ରାଫିକ କ୍ଲିଅରାନ୍ସ ଦାୟିତ୍ଵରେ ଥିଲେ। ମନ୍ତ୍ରୀ ଗାଡିରୁ ଓହ୍ଲାଇବା ବେଳେ ଗୋପାଳ ତାଙ୍କ ନିକଟକୁ ଚାଲିଯାଇଥିଲେ। ଅତି ପାଖରୁ ନିଜ ସର୍ଭିସ୍ ପିସ୍ତଲରୁ ଫଇରିଂ କରିଥିଲେ। ମନ୍ତ୍ରୀଙ୍କୁ ହତ୍ୟା ଉଦ୍ଦେଶ୍ୟ ନେଇ ଅତି ପାଖରୁ ଗୁଳି କରିଥିଲେ ଗୋପାଳ। ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ଏବଂ ସେ ସେଠାରେ ଟଳି ପଡ଼ିଥିଲେ। ତୁରନ୍ତ ଆଇଆଇସି ଏବଂ ଜଣେ କନେଷ୍ଟବଳ ଗୋପାଳଙ୍କ ଉପରେ ମାଡି ବସିଥିଲେ। ଧସ୍ତାଧଶ୍ତି ମଧ୍ୟରେ ଗୋପାଳ ଆଉ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଆଇଆଇସିଙ୍କ ଆଙ୍ଗୁଠିରେ ବାଜିବା ସହ ଜୀବନ ନାୟକ ଆହତ ହୋଇଥିଲେ।

Leave A Reply

Your email address will not be published.