ବଦଳିଲେ ୪ ରାଜ୍ୟର ବିଜେପି ସଭାପତି, ମନମୋହନଙ୍କୁ ଓଡିଶା ମଙ୍ଗ

0

ନୂଆଦିଲ୍ଲୀ ୨୩/ ୦୩: ଦେଶର ୪ ରାଜ୍ୟରେ ବଦଳିଲେ ଭାରତୀୟ ଜନତା ପାର୍ଟି ସଭାପତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ୪ ରାଜ୍ୟରେ ନୂଆ ସଭାପତି ନିଯୁକ୍ତି ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୁରୁବାର ନୂତନ ସଭାପତିଙ୍କ ନାଁ ଘୋଷଣା କରାଯାଇଛି ।

ଓଡିଶା ବିଜେପିର ଦୀର୍ଘ ବର୍ଷ ଧରି ସଭାପତି ଥିବା ସମୀର ମହାନ୍ତିଙ୍କୁ ବଦଳାଯାଇଛି । ୨୦୧୯ ବିଧାନସଭା ନିର୍ବାଚନ ପରେ ସମୀର ମହାନ୍ତିଙ୍କୁ ରାଜ୍ୟ ବିଜେପି ସଭାପତି କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମନମୋହନ ସାମଲଙ୍କୁ ୩ୟ ଥର ପାଇଁ ଓଡିଶାର ମଙ୍ଗ ଦେଇଛନ୍ତି ଜେପି ନଡ୍ଡା । ପୂର୍ବରୁ ଦୁଇ ଥର ସେ ଓଡିଶା ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ବେଳେ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନୀତିଜ୍ଞ ଭାବେ ବେଶ ପରିଚିତ । ତାଙ୍କ ନେତୃତ୍ବରେ ଧାମନଗର ଉପ-ନିର୍ବାଚନ ଲଢିଥିଲା ଦଳ । ଆଉ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜୟୀ କରାଇପାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମନମୋହନ ସାମଲ ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବିଜେପି କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର ସଚଦେବ ନୂଆଦିଲ୍ଲୀ ବିଜେପିର ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତି ହୋଇଛନ୍ତି । ସେହିଭଳି ଲୋକସଭା ସାଂସଦ ସିପି ଜୋଶୀ ରାଜସ୍ଥାନ ବିଜେପିର ସଭାପତି ଭାବେ ଦାୟିତ୍ବ ପାଇଛନ୍ତି । ରାଜସ୍ଥାନ ଜୟପୁର ସ୍ଥିତ ଅମ୍ବର ବିଧାୟକ ସତୀଶ ପୁନିଆଙ୍କ ସ୍ଥାନରେ ସିପି ଜୋଶୀ ନୂଆ ମୁଖ୍ୟ ହୋଇଛନ୍ତି। ବିହାର ବିଧାନ ପରିଷଦର ବିରୋଧୀ ଦଳ ନେତା ସମ୍ରାଟ ଚୌଧୁରୀ ନୂଆ ରାଜ୍ୟ ମୁଖିଆ ହୋଇଛନ୍ତି । ସଞ୍ଜୟ ଜୟସଓ୍ବାଲଙ୍କ ସ୍ଥାନରେ ସମ୍ରାଟ ଚୌଧୁରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

Leave A Reply

Your email address will not be published.