ଗୁଜରାଟ ମୁହାଁଇଛି ବଡ଼ବାତ୍ୟା ‘ବିପର୍ଯ୍ୟୟ’: ସେନାର ୩ ବାହିନୀକୁ ରଖାଗଲା ସଜାଗ; ୫୦ ହଜାର ଲୋକଙ୍କୁ କରାଗଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ବଡ଼ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଭୀଷଣ ରୂପ ଧାରଣ କରି ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଉଛି। ଗୁଜରାଟର ପୋରବନ୍ଦରରେ ବୁଧବାର ପ୍ରବଳ ପବନ ସହ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ଗଛ ଉପୁଡ଼ି ପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ, ଲାକ୍ଷାଦ୍ୱୀପ ସମେତ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରିଛି। ସମୁଦ୍ର ଅଶାନ୍ତ ହୋଇଯାଇ ଥିବାରୁ ଗୁଜୁରାଟର ବନ୍ଦରଗୁଡ଼ିକ ବନ୍ଦ ରହିଛି ଏବଂ ଜାହାଜଗୁଡ଼ିକୁ ଲଙ୍ଗର କରାଯାଇଛି।

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ତିନି ସେନା ମୁଖ୍ୟଙ୍କ ସହ କଥା ହୋଇ ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବର ମୁକାବିଲା ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ତିନି ସେନା ମୁଖ୍ୟଙ୍କ ସହ କଥା ହୋଇ ବାତ୍ୟା ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ୍‌ ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ବାତ୍ୟା ଜନିତ ଯେକୌଣସି ପରିସ୍ଥିତି କିମ୍ବା ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଶସ୍ତ୍ର ବାହିନୀ ବେସାମରିକ କର୍ତ୍ତୃପକ୍ଷଙ୍କୁ ଯଥାସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛି।

 

ଅନ୍ୟପକ୍ଷରେ ଗୁଜୁରାଟ କଚ୍ଛ ଜିଲ୍ଲାର ଜାଖାଉ ବନ୍ଦର ନିକଟରେ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ୍‌ ପୂର୍ବରୁ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରୁ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି। ଗୁଜୁରାଟ ଉପକୂଳ ଆଡ଼କୁ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗତି କରୁଥିବା ବେଳେ ସୌରାଷ୍ଟ୍ର-କଚ୍ଛ ଅଞ୍ଚଳର କିଛି ଅଂଶରେ ପ୍ରବଳ ପବନ ସହ ପ୍ରବଳ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ବୁଧବାର କହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହି ବାତ୍ୟା ଗୁରୁବାର ସନ୍ଧ୍ୟାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ଭାବେ ସ୍ଥଳଭାଗ ଛୁଇଁବ ଏବଂ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ଛୁଇଁବ।

ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଏବେ କଚ୍ଛଠାରୁ ପ୍ରାୟ ୨୯୦ କିଲୋମିଟର ଦୂରରେ ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରାୟ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ଏବଂ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ବୋଲି ରାଜ୍ୟ ରିଲିଫ୍‌ କମିଶନର ଆଲୋକ କୁମାର ପାଣ୍ଡେ କହିଛନ୍ତି।

Comments are closed.