ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ସାମଗ୍ରୀ

ପୁରୀ, ୧୮/୭: ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଆଜି ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଛି। ଏହି କାମ କରିବା ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ବାହାରିଲା ପରେ ଗଣମାଧ୍ୟମକୁ ସେ କହିଛନ୍ତି, ପୂର୍ବରୁ ପ୍ରଥମ ଦଫାରେ ଗତ ୧୪ ତାରିଖରେ ବାହାର ଭଣ୍ଡାର ଖୋଲାଯାଇଥିବା ବେଳେ  ଆଜି ବହୁ ପ୍ରତୀକ୍ଷିତ ଭିତର ରତ୍ନଭଣ୍ଡାର ଖୋଲିଛି। ଓଡ଼ିଶାବାସୀଙ୍କର ଯେଉଁ ଆଶା ଓ ଆଶଙ୍କା ଥିଲା ତାହା ଦୂର ହୋଇଛି। ସବୁ ଅଲଙ୍କାର ସୁରକ୍ଷିତ ରହିଛି। ଏହା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି।

ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଭିତରକୁ ପ୍ରବେଶ କରିଥିଲୁ। ସମସ୍ତେ ଦିବ୍ୟମନରେ ପ୍ରବେଶ କରିଥିଲୁ। ସିଂହଦ୍ବାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲୁ। ଏହାପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲୁ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲୁ। ସମସ୍ତ କମିଟି ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲୁ।  ଭିତର ରତ୍ନଭଣ୍ଡାରରେ ୩ଟି କାଚ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା। ୩ଟି ସିନ୍ଦୁକ ମଧ୍ୟ ଥିଲା। ରାଜ୍ୟ ସରକାରଙ୍କ ଏସ୍‌ଓପି ଅନୁଯାୟୀ ରତ୍ନଭଣ୍ଡାର ପ୍ରବେଶ କରିଥିଲୁ।

ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ। କାନ୍ଥକୁ ଆଉଜି ଥିବା ସବୁ ଆଲମାରି, ସିନ୍ଦୁକ କଢ଼ା ଯାଇଥିଲା। ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁ ନାହିଁ। ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବଷିତ ନୁହେଁ। କେ‌ବଳ ଗୁଜବ ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି।

Comments are closed.