ଜଗଦମ୍ବିକା ପାଲ ହେବେ ଓ୍ବାକଫ ସଂଶୋଧନ ବିଲ ଅନୁଧ୍ୟାନ ଜେପିସିର ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୩/୮: ବିବାଦୀୟ ୱାକଫ୍ (ସଂଶୋଧନ) ବିଲ୍ ର ଅନୁଧ୍ୟାନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷତା କରିବେ ବରିଷ୍ଠ ବିଜେପି ଲୋକସଭା ସଦସ୍ୟ ଜଗଦମ୍ବିକା ପାଲ। ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପାଲଙ୍କୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ୩୧ ଜଣିଆ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏହି ବିଲ୍ ର ବ୍ୟବସ୍ଥାକୁ ନେଇ ଲୋକସଭାରେ ବିରୋଧୀଙ୍କ ବିରୋଧ ମଧ୍ୟରେ ସରକାର ଏହି ବିଲ୍କୁ ଉଭୟ ଗୃହର ମିଳିତ କମିଟିକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ଯୁଗ୍ମ କମିଟିରେ ୩୧ ଜଣ ସଦସ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରୁ ଲୋକସଭାରୁ ୨୧ ଜଣ ଓ ରାଜ୍ୟସଭାରୁ ୧୦ ଜଣ ଅଛନ୍ତି। ଏହି କମିଟି ଆସନ୍ତା ଅଧିବେଶନ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ପ୍ରସ୍ତାବକୁ ଲୋକସଭା ଓ ରାଜ୍ୟସଭା ଶୁକ୍ରବାର ଗ୍ରହଣ କରି ଏହି କମିଟିରେ ସଦସ୍ୟମାନଙ୍କୁ ସାମିଲ କରିବାକୁ ମନୋନୀତ କରିଥିଲେ। ମିଳିତ କମିଟିର ୨୧ ଜଣ ସଦସ୍ୟଙ୍କ ମଧ୍ୟରେ ବିଜେପିର ୮ ଜଣ ଓ କଂଗ୍ରେସର ୩ ଜଣ ସଦସ୍ୟ ଅଛନ୍ତି। ରାଜ୍ୟସଭାରୁ କମିଟିରେ ସାମିଲ ହୋଇଥିବା ସଦସ୍ୟଙ୍କ ମଧ୍ୟରୁ ବିଜେପିର ୪ ଜଣ ଏବଂ କଂଗ୍ରେସ, ତୃଣମୂଳ କଂଗ୍ରେସ, ଦ୍ରାବିଡ଼ ମୁନେତ୍ରା କଜଗମ (ଡିଏମକେ), ୱାଇଏସଆର କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)ର ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି। ଜଣେ ମନୋନୀତ ସଦସ୍ୟଙ୍କୁ ମଧ୍ୟ କମିଟିର ସଦସ୍ୟ କରାଯାଇଛି।

 

 

Comments are closed.