ରଥଯାତ୍ରାର ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇଗଲେ ଜଣେ ଭକ୍ତ, ଡାକ୍ତରଖାନାରେ ମୃତ ଘୋଷିତ

ପୁରୀ, ୭/୭: ଶ୍ରୀକ୍ଷେତ୍ର ରଥଯାତ୍ରାରେ ରବିବାର ସନ୍ଧ୍ୟାରେ ଅଘଟଣ ଘଟିଛି। ପ୍ରବଳ ଭିଡ଼ ଯୋଗୁଁ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ସର୍ବ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜକୁ ଶରଧାବାଲି ଅଭିମୁଖେ ଟଣାଯାଇଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ତାଳଧ୍ବଜ ମରିଚିକୋଟ ଛକରେ ପହଞ୍ଚିବା ପରେ ବାଟରେ ଅଘଟଣ ଘଟିଥିଲା। ଜଣେ ଶ୍ରଦ୍ଧାଳୁ ଭିଡ଼ ଭିତରେ ଅଚେତ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତ ଶ୍ରଦ୍ଧାଳୁଙ୍କର ପରିଚୟ ମିଳିପାରି ନାହିଁ। ଅନ୍ୟପଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ସଂପର୍କରେ ଅବଗତ ଅଛନ୍ତି।

ବଡ଼ଠାକୁରଙ୍କ ତାଳଧ୍ବଜ, ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲି ଅଭିମୁଖେ ଗଡ଼ିଛି। ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ନନ୍ଦିଘୋଷକୁ ମାତ୍ର ଦୁଇପାଦ ଆଗକୁ ଟଣାଯାଇଛି। ମରିଚିକୋଟ ଛକରେ ତାଳଧ୍ବଜ ରଥ ପହଞ୍ଚି ଥିବା ବେଳେ ରାଜନଅର ସମ୍ମୁଖରେ ମା’ ସୁଭଦ୍ରାଙ୍କର ରଥ ପହଞ୍ଚିଛି। ଆଜି ପାଇଁ ରଥଟଣା କାର୍ଯ୍ୟ ବିରାମ ରାଖାଯାଇଛି। ଆସନ୍ତାକାଲି ପୂର୍ବାହ୍ଣରେ ପୁଣି ଥରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି।

ସେହିପରି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ସମୟରେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ତାଳଧ୍ବଜ ଟଣା ହେବାବେଳେ ଜଣେ ପୁରୁଷ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ଠେଲାପେଲା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଥିବା ସମୟରେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରାଯାଇଛି। ଅନ୍ୟପଟେ ଆହତମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇଛି ।

 

Comments are closed.