ପ୍ରଶ୍ନପତ୍ରରେ ବିକୃତ ଓଡ଼ିଆ ଜନିତ ତ୍ରୁଟି ଯୋଗୁଁ ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା

0

ଭୁବନେଶ୍ୱର, ୨୪/୪: ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପାଇଁ ବାତିଲ ହୋଇଛି ଆକାଉଣ୍ଟାଣ୍ଟ ପରୀକ୍ଷା। ମିଳିଥିବା ସୂଚନା ମୁତାବକ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ଦ୍ବାରା ଗତକାଲି ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଲେଖାଥିବା ପ୍ରଶ୍ନପତ୍ର ଆସିଥିଲା। ଏଥିରେ ଓଡ଼ିଆ ଭାଷା ଅତ୍ୟନ୍ତ ବିକୃତ ହୋଇ ଛପାଯାଇଥିଲା। ଆଉ ଏହାକୁ ନେଇ ପରୀକ୍ଷାର୍ଥୀ ଚିନ୍ତାରେ ପଡିଯାଇଥିଲେ। ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ କିମ୍ବା ଅନ୍ୟ କିଛି ଥିଲା ତାହା ପରୀକ୍ଷାର୍ଥୀ ବୁଝିପାରି‌ ନ ଥିଲେ। ପ୍ରଶ୍ନପତ୍ରର ଶବ୍ଦଗୁଡ଼ିକ ଠିକ୍‌ ନ ଥିଲା। ବାକ୍ୟ ବୁଝିବାକୁ ପରୀକ୍ଷାର୍ଥୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। କେଉଁଠି ‘ପାଖରେ’ ବଦଳରେ ‘ପାଖର’ ଲେଖାଯାଇଥିଲା ତ ଆଉ କେଉଁଠି ଟଙ୍କା’ ବଦଳରେ ‘ଟଙ୍‌କାର’। ଏଭଳି ପ୍ରଶ୍ନ ଦେଖି ହଲ୍‌ ଭିତରେ ପରୀକ୍ଷାର୍ଥୀ ବାଉଳା ହୋଇ ପରସ୍ପରକୁ ଚାହିଁଥିଲେ। ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ବି ସମାଧାନ କରିପାରି ନ ଥିଲେ।

ବରଂ ଉପରିସ୍ଥ ଅଧିକାରୀମାନଙ୍କୁ ଏ ବିଷୟରେ ଜଣାଯିବ କହି ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ। ଯାହାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକଙ୍କ ସମେତ ଶିକ୍ଷାବିତ୍‌ମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେବେ ଏହାକୁ ନେଇ ଓଏସଏସସି ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷା ବାତିଲ ହୋଇଛି। ପୁଣିଥରେ ପରୀକ୍ଷା କରାଯିବ ଓ ତାରିଖ ଖୁବ ଶୀଘ୍ର ପ୍ରକାଶ ପାଇବ।

Leave A Reply

Your email address will not be published.