ଉତ୍ତପ୍ତ ପିଣ୍ଡ ପାଲଟିଲା ଭୁବନେଶ୍ବର

ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରି ଛୁଇଁଲା ରାଜଧାନୀ ତାତି

0

ଭୁବନେଶ୍ବର, ୨୩।୪: ଉତ୍ତପ୍ତ ପିଣ୍ଡ ପାଲଟିଛି ରାଜଧାନୀ ଭୁବନେଶ୍ବର। ଭୁବନେଶ୍ୱରରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଏହା ସହିତ ଗତକାଲି ସୁଦ୍ଧା ଏହା ଥିଲା ଭୁବନେଶ୍ୱରର ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା। କିନ୍ତୁ ଲାଗୁଛି ଆଜି ଏହି ରେକର୍ଡ ଭାଙ୍ଗିଯିବ। କାରଣ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଯାଇଛି। ଦିନ ସାଢ଼େ ୧୧ଟା ସୁଦ୍ଧା ଯେତୋଟି ସହରର ତାପମାତ୍ରା ରେକର୍ଡ କରାଯାଇଛି, ତା’ ମଧ୍ୟରେ ଭୁବନେଶ୍ୱର ଶୀର୍ଷରେ ରହିଛି। ଏଣୁ ଆଜି ଭୁବନେଶ୍ୱରରେ ପାରଦ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି।

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୭.୮, ଗୋପାଳପୁରରେ ୩୦.୬, ସମ୍ବଲପୁରରେ ୩୭, ପାରାଦ୍ୱୀପରେ ୩୧.୮, ପୁରୀରେ ୩୨.୪, ଚାନ୍ଦବାଲିରେ ୩୭.୮, କେନ୍ଦୁଝରରେ ୩୬.୮ ଓ ହୀରାକୁଦରେ ୩୬.୭ ଡିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନର ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହି ଦୁଇ ସହର ତଳକୁ ୪୦.୮ ଡିଗ୍ରୀ ସହିତ ରହିଥିଲା ଭୁବନେଶ୍ୱର। ଆଜି ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା। ସୂଚନାଯୋଗ୍ୟ, ଏପ୍ରିଲ ୧୮ ତାରିଖରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା

Leave A Reply

Your email address will not be published.