ଗୁଜୁରାଟ ଭୁଶୁଡ଼ିଲା ଝୁଲାପୋଲ: ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି, ଜାରି ରହିଛି ଉଦ୍ଧାରକାର୍ଯ୍ୟ

0

ମୋରବୀ,୩୦/୧୦: ରବିବାର ସନ୍ଧ୍ୟାରେ ଗୁଜୁରାଟର ମୋରବୀର ମଚ୍ଛୁ ନଦୀରେ ଝୁଲାପୋଲ ଭାଙ୍ଗିବା ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଏହି ଘଟଣାରେ ଏପର୍ଯ୍ୟନ୍ତ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିରନ୍ତର ଭାବେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏନ୍‌ଡିଆର୍‌ଏଫ୍‌ ଓ  ଏସ୍‌ଡିଆର୍‌ଏଫ୍‌ ଦଳ ମଧ୍ୟ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି ଯେ ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଶହ ଶହ ଲୋକ ଉପସ୍ଥିତ ଥିଲେ।

ପୁଲିସର ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ପ୍ରାୟ ୪୦କୁ ବୃଦ୍ଧିପାଇଥିବା ବେଳେ ଏହା ଅଧିକ ହୋଇପାରେ। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି ଓ ଅନେକ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମୃତକଙ୍କ ପରିବାର ପାଇଁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି।

କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ସେତୁ ପ୍ରାୟ ୧୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି ଏବଂ କିଛି ଦିନ ପୂର୍ବରୁ ଏହାର ମରାମତି କରାଯାଇଥିଲା। ମରାମତିର ମାତ୍ର କିଛିଦିନ ପରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଇଥିଲା। ତେବେ ତମାମ ଘଟଣାକୁ ନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Leave A Reply

Your email address will not be published.