ରଥ-ପଥ, ଭକ୍ତ-ଭଗବାନ ମହାମିଳନ
ପୁରୀ,୧/୭: ରତ୍ନ ସିଂହାସନରୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଭକ୍ତ-ଭଗବାନଙ୍କ ହେଲା ଅପୂର୍ବ ମିଳନ। ନିର୍ଦ୍ଧାରିତ ସମୟର ଢ଼େର ପୂର୍ବରୁ ହୋଇଥିଲା ନୀତିକାନ୍ତି। ଭୋର୍ ୩ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହୋଇଥିଲା ମଙ୍ଗଳ ଆଳତୀ, ସାଢ଼େ ୩ଟାରେ ଶେଷ ହୋଇଥିଲା ମଇଲମ ନୀତି । ସକାଳ ପ୍ରାୟ ୬ଟା ବେଳକୁ ହୋଇଥିଲା ରଥ ପ୍ରତିଷ୍ଠା କାର୍ଯ୍ୟ। ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ସକାଳ ୬ଟାରୁ ଆରମ୍ଭ ହୋଇଯାଇଥିଲା ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ।
ପ୍ରଥମେ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି କରିଥିଲେ ସେବାୟତମାନେ। ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥରେ ପ୍ରଭୁ ସୁଦର୍ଶନ ବିରାଜିବା ପରେ ବଡ଼ ଠାକୁର ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ଟାହିଆ ଲଗାଇ ଝୁଲି ଝୁଲି ବଡ଼ ଦେଉଳରୁ ବାହାରିଥିଲେ ବଡ଼ ଠାକୁର । ହରିବୋଲ ହୁଳହୁଳିରେ କମ୍ପୁଥିଲା ପରିବେଶ । ଘଣ୍ଟଘଣ୍ଟା, ବୀର କାହାଳୀ ଶବ୍ଦରେ ଫାଟିପଡ଼ୁଥିଲା ଗଗନପବନ । ତାଳଧ୍ବଜ ରଥରେ ବିରାଜମାନ କରିଥିଲେ ମହାପ୍ରଭୁ ବଳଭଦ୍ର। ବଡ଼ ଭାଇଙ୍କ ପହଣ୍ଡି ପରେ ପାଳି ଥିଲା ହଳଦୀ ମୁହିଁ ଭଉଣୀ ଦେବୀ ସୁଭଦ୍ରାଙ୍କର । ଟୋପର ଲଗାଇ ସେବାୟତଙ୍କ ପିଠିରେ ପହଣ୍ଡି ହୋଇଥିଲେ ମାତା କାମ୍ପିଲ୍ୟ ବାସିନୀ। ଦର୍ପଦଳନ ରଥରେ ମା’ ବିଜେ କରାଯାଇଥିଲା।
ସଭା ଶେଷରେ ପତିତ ଉଦ୍ଧାର ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଥିଲେ ପତିତପାବନ କାଳିଆ ଠାକୁର। ବାଇଶି ପାହାଚରୁ ସିଂହଦ୍ବାର ଯାଏ ବିଶ୍ବ ନିଅନ୍ତାଙ୍କ ଭାବଭଙ୍ଗୀକୁ ଚାତକ ଭଳି ଅନାଇ ରହିଥିଲା ଭକ୍ତ।ମହାପ୍ରଭୁଙ୍କୁ ଦର୍ଶନ ମାତ୍ରେ ଶ୍ରଦ୍ଧାଳୁଙ୍କ ଶରୀରରେ ଖେଳି ଯାଉଥିଲା ଅପୂର୍ବ ଶିହରଣ। ଭକ୍ତ ବତ୍ସଳ ଠାକୁର ବୁଲି ବୁଲି ଦେଖୁଥିଲେ ନିଜ ଭକ୍ତମାନଙ୍କୁ। କେତେବେଳେ ବାଁକୁ ତ କେତେବେଳେ ଡାହାଣକୁ ଢ଼ଳି ପଡ଼ି ଚାହୁଁଥିଲେ ଭାବ ବିନୋଦିଆ। ନୀଳ କନ୍ଦରରୁ ବାହାରି ଆସୁଥିବା ନୀଳ ଶଇଳଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା ନନ୍ଦିଘୋଷ ରଥ। ଦିନ ୧୦ଟା ପୂର୍ବରୁ ରଥାରୁଢ଼ ହୋଇସାରିଥିଲେ ଚତୁର୍ଦ୍ଧାମୂର୍ତ୍ତି।
ଦୁଇ ବର୍ଷ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖି ବିଭୋର ହୋଇପଡ଼ିଥିଲେ ଭକ୍ତ। ରଥ ଉପରେ ଚକା ଆଖି ଦେଖି ହାତ ଆପେ ଆପେ ଯୋଡ଼ି ହୋଇଯାଉଥିଲା। ପାଟିରୁ ଜୟ ଜଗନ୍ନାଥ ବାହାରୁଥିଲା। ଏକ ଲୟ ଏକ ମନରେ କାଳିଆ ସାଆାନ୍ତଙ୍କୁ ରଥ ଉପରେ ପାଇ ଭକ୍ତ ଆଖିରୁ ଝରିପଡ଼ୁଥିଲା ଅଶ୍ରୁର ଧାର। ଏହା ଥିଲା ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳିନର ଦୃଶ୍ୟ । କାହିଁକି ନା ଦୁଇ ବର୍ଷ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ହୋଇ ଛିଡ଼ା ହୋଇଥିଲା କରୋନା ମହାମାରୀ । ମାତ୍ର ଚଳିତ ବର୍ଷ ନ ଥିଲା କଟକଣା । ଭକ୍ତ ଧାଇଁ ଯାଇଥିଲା ସାଆନ୍ତଙ୍କ ପାଖକୁ। ପତିତଉଦ୍ଧାର ଲାଗି ରତ୍ନସିଂହାସନ ଛାଡ଼ି ଚାଲି ଆସୁଥିବା ଭାବ ବିନୋଦିଆଙ୍କୁ ଟିକେ ରଥ ଉପରେ ଦେଖିବାକୁ।
ଗାଁ ଠୁ ବିଦେଶ ସବୁଆଡ଼ୁ ଭକ୍ତଙ୍କ ସୁଅ ଛୁଟିଥିଲା ସମୟ ଯେତିକି ଗଡ଼ି ଚାଲିଥିଲା ଭିଡ଼ ବି ସେତିକି ବଢି ଚାଲିଥିଲା। ବଡ଼ ଦାଣ୍ଡରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ନଜିର ଟିକେ ଭିନ୍ନ ଥିଲା । ଯେମିତି ମନରେ ନୃତ୍ୟଶିଳ୍ପୀମାନେ କହୁଥିଲେ କି ମୋର କିଛି ଦରକାର ନାହିଁ ଖାଲି ତୁମରି ଆଗରେ ନୃତ୍ୟ ପରିବେଷଣ କରିବାର ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି । କେହି କେହି ଶିବ କିମ୍ବା ହନୁମାନ ବେଶରେ ମହାପ୍ରଭୁଙ୍କ ନିକଟକୁ ଧାଇଁ ଆସିଥିଲେ। ଏହି ସମସ୍ତ ଦୃଶ୍ୟ ପରିବେଶକୁ ଏକ ଆଧ୍ୟାତ୍ମିକ ବାତାବରଣରେ ଗଢି ତୋଳିଥିଲା।
ପରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ। ଏହାପରେ ରଥରେ ଛେରା ପହଁରା ପାଇଁ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଯଥାରୀତି ଗୋଟିକ ପରେ ଗୋଟିଏ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଦିନ ୧୨ଟା ୩୪ ବେଳକୁ ଆରମ୍ଭ ହୋଇଥିଲା ରଥ ଟଣା। ସିଂହଦ୍ବାର ସାମ୍ନାରୁ ଶ୍ରୀଗୁଣ୍ଡିଚା ଅଭିମୁଖେ ପ୍ରଥମେ ଗଡ଼ିଥିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ।
ପରେ ପରେ ଅପରାହ୍ଣ ୧ଟା ୧୫ ବେଳକୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଥିଲା। ଆଉ ଶେଷରେ ୨ଟା ୧୮ ମିନିଟ୍ରେ ଗଡ଼ିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ବଡ଼ଦାଣ୍ଡରେ ଜନ ସମୁଦ୍ର ଭିତରେ ଆଗପଛ ହୋଇ ଗଡ଼ୁଥିଲା ତିନି ରଥ। ରଡ଼ି ଛାଡ଼ି ଭକ୍ତମାନଙ୍କୁ ରଥ ଟାଣିବାକୁ ଉତ୍ସାହିତ କରୁଥିଲେ ରଥ ଉପରେ ଠିଆ ହୋଇଥିବା ଡାହୁକ। ଆଉ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ପୁରୀ ବଡ଼ଦାଣ୍ଡ। ରଥ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରଥଟଣା ସମୟରେ ପୁରୀର ବିଭିନ୍ନ ମଠ, ଜାଗା ଅନୁଷ୍ଠାନ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ପନ୍ତିଭୋଗ ଦିଆଯାଉଥିଲା।
ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ମଧ୍ୟ ଠାକୁରଙ୍କୁ ପନ୍ତିଭୋଗ ଦିଆଯାଇଥିଲା। ସେହିଭଳି ପରମ୍ପରା ଅନୁସାରେ ବଡ଼ ଦାଣ୍ଡରେ ଅବସ୍ଥିତ ମାଉସୀମାଆଙ୍କ ମନ୍ଦିର ଠାରେ ଶ୍ରୀଜିଉମାନଙ୍କୁ ପୋଡ଼ପିଠା ଭୋଗ ଲାଗି ହୋଇଥିଲା। ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳି, ନାମ ସଂକୀର୍ତ୍ତନରେ ଅଧାତ୍ମିକ, ଭକ୍ତମୟ ହୋଇଉଠିଥିଲା ବଡ଼ଦାଣ୍ଡ। ଶେଷରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶରଧା ବାଲିରେ ଲାଗିଥିଲା ତିନି ରଥ।