ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲାଗସ୍ତରେ ମୁଖ୍ୟ ଶାସନ ସଚିବ

ବୁଲି ଦେଖିଲେ ଇବ୍‌ ନଦୀ ବ୍ୟାରେଜ ଓ ମେଡିକାଲ କଲେଜ

0

ସୁନ୍ଦରଗଡ଼, ୧୩।୫: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ସ୍ବତନ୍ତ୍ର ପ୍ରସ୍ତାବିତ ଓ ନିର୍ମାଣାଧୀନ ବୃହତ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସେ ଭୁବନେଶ୍ବରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ଅପରାହ୍ନ ୪ଟାରେ ସୁନ୍ଦରଗଡ଼ ପହଞ୍ଚି କୋପସିଂହାଠାରେ ଇବ୍‌ ନଦୀ ଉପରେ ହେବାକୁ ଥିବା ବ୍ୟାରେଜ୍ ସ୍ଥଳ ପରିଦର୍ଶନ କରି ଏହାର କାର୍ଯ୍ୟାରମ୍ଭ ସମ୍ପର୍କରେ ଜିଲ୍ଲାପାଳ ଓ ଜଳସେଚନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସୁନ୍ଦରଗଡ଼ ଶଙ୍କରାସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଜାତୀୟ ମେଡିକାଲ କମିସନର ମାର୍ଗଦର୍ଶିକା ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ଓ ସ୍ବାସ୍ଥ୍ୟ ଉପକରଣ ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ମେଡିକାଲ କଲେଜରୁ ବାହାରି ସିଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମନ୍ନିତ ଟ୍ରାଫିକ ପରିଚାଳନା ବ୍ୟବସ୍ଥାକୁ ଦେଖିବା ପରେ ସଡ଼କ ପଥରେ ରାଉରକେଲା ଯିବେ। ରାଉରକେଲା ହାଉସ ସମ୍ମିଳନୀ କକ୍ଷରେ ସନ୍ଧ୍ୟା ୭ଟା ୪୫ରେ ୨୦୨୩ରେ ରାଉରକେଲା ହକି ଷ୍ଟାଡ଼ିୟମରେ ହେବାକୁ ଥିବା ହକି ବିଶ୍ବକପ୍ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସେଠାରେ ରାତ୍ରିଯାପନ କରିବେ। ୧୪ ତାରିଖ ସକାଳ ୬ଟାରେ ନିର୍ମାଣାଧୀନ ହକି ଷ୍ଟାଡ଼ିୟମ ସମେତ ସ୍ମାର୍ଟସିଟିର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିବା ପରେ ସାଢ଼େ ୮ଟାରେ ଟେନସା ଅଭିମୁଖେ ଯାତ୍ରା କରିବେ। ଟେନସା ଇକୋ ଟୁରିଜିମ୍ ବୁଲି ଦେଖିବା ପରେ ଭୁବନେଶ୍ବର ଅଭିମୁଖେ ସଡ଼କ ପଥରେ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.