ମୁଖ୍ୟମନ୍ତ୍ରୀ ପାଇବେ ସମ୍ମାନଜନକ ‘କ୍ୟାପିଟାଲ ଫାଉଣ୍ଡେସନ ପୁରସ୍କାର’

0

ଭୁବନେଶ୍ବର, ୨୯।୮: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ଜୀବନବ୍ୟାପୀ ସାଧନା ପୁରସ୍କାର। ତାଙ୍କର ଅସାଧାରଣ ନେତୃତ୍ବ କୌଶ​ଳ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେପ୍ଟେମ୍ବର ୪ ତାରିଖ ଦିନ ସାଢ଼େ ୧୧ଟା ବେଳେ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟରିଅମଠାରେ ଏହି ପୁରସ୍କାର ପ୍ରଦାନ କରାଯିବ।

ନିକଟରେ ଅବସର ନେଇଥିବା ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମନ୍ନା ମୁଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଉପସ୍ଥିତ ରହିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ.ପଟ୍ଟନାୟକ।

ଏହି ପୁରସ୍କାର ସଂପର୍କରେ ଘୋଷଣା କରି କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ଏକ ପରିର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ ୨ ଦଶନ୍ଧିରେ ଓଡ଼ିଶା ଅନେକ କ୍ଷେତ୍ରରେ ବିକାଶ ହାସଲ କରିଛି। ତାଙ୍କ ସରଳତା, ଅସାଧାରଣ ସଚ୍ଚୋଟତା ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛି।

୧୯୮୭ରେ ପ୍ରତିଷ୍ଠିତ କ୍ୟାପିଟାଲ ଫାଉଣ୍ଡେସନ ଭାରତର ଅନ୍ୟତମ ସମ୍ମାନଜନକ ସ୍ବେଚ୍ଛାସେବୀ ସଂଗଠନ ଭାବେ ଜଣାଶୁଣା । ବିଭିନ୍ନ ପ୍ରସଙ୍ଗରେ ମତବିନିମୟ ପାଇଁ ଏହି ସଂସ୍ଥା ଜାତୀୟ ସ୍ତରର ମଞ୍ଚ ପ୍ରଦାନ କରିଥାଏ। କ୍ୟାପିଟାଲ ଫାଉଣ୍ଡେସନର ବୋର୍ଡ ଅଫ ଗଭର୍ଣ୍ଣର୍ସ ମଧ୍ୟରେ ଅଛନ୍ତି ସୁପ୍ରିମକୋର୍ଟ ବିଚାରପତି, କ୍ୟାବିନେଟ ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସାମରିକ ଅଧିକାରୀ ପ୍ରମୁଖ।

Leave A Reply

Your email address will not be published.