ଲୋକସଭାରେ ପାରିତ ହେଲା ଦିଲ୍ଲୀ ଅଧ୍ୟାଦେଶ ବିଲ୍‌

ବିରୋଧୀଙ୍କ ହଟ୍ଟଗୋଳ, ଏବେ ରାଜ୍ୟସଭା ଉପରେ ନଜର

ନୂଆଦିଲ୍ଲୀ, ୩/୮: ଲୋକସଭାରେ ପାସ୍ ହେଲା ଦିଲ୍ଲୀ ଅଧ୍ୟାଦେଶ ବିଲ୍। ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍‌ସଫର ଏବଂ ପୋଷ୍ଟିଂ ନିୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ବିଲ୍ ଆଣିଥିଲେ କେନ୍ଦ୍ର ସରକାର। ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ । ଲୋକସଭାରେ ବିଲ୍ ଉପରେ ହୋଇଥିବା ଆଲୋଚନା ଉପରେ ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ତେବେ କଂଗ୍ରେସ, ଟିଏମସି ଏବଂ ଡିଏମକେ ସମେତ ଅନ୍ୟ ବିରୋଧୀ ଦଳ ଏହି ବିଲକୁ ଦୃଢ ବିରୋଧ କରିଥିଲେ। ଏହି ବିଲ୍ ସପକ୍ଷରେ ଯୁକ୍ତି କରି ଅମିତ ଶାହା ଗୃହରେ କହିଛନ୍ତି ଯେ, ଏହି ନିୟମ ସୁପ୍ରିମକୋର୍ଟଙ୍କ ଆଦେଶକୁ ଦର୍ଶାଉଛି, ଯେଉଁଥିରେ ଦର୍ଶାଯାଇଛି ଯେ ଦିଲ୍ଲୀ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗରେ ସରକାର ଆଇନ କରିବାର ଅଧିକାର ରହିଛି । ସେ କହିଛନ୍ତି ଯେ ସମ୍ବିଧାନରେ ମଧ୍ୟ ଆମକୁ ଏହି ଅଧିକାର ଦିଆଯାଇଛି।

ଅମିତ ଶାହା ଆହୁରି କହିଛନ୍ତି ଯେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ, ରାଜଜୀ, ରାଜେନ୍ଦ୍ର ପ୍ରସାଦ ଏବଂ ଡକ୍ଟର ବି.ଆର୍ ଆମ୍ବେଦକର ମଧ୍ୟ ଦିଲ୍ଲୀକୁ ରାଜ୍ୟସ୍ତର ଦେବା ବିରୋଧରେ ଥିଲେ। ସେ କହିଛନ୍ତି ଯେ ବିରୋଧୀ ଦଳ ଦିଲ୍ଲୀ ପାଇଁ ନୁହେଁ ବରଂ କେବଳ ଆଲାଏନ୍ସ ବା ଗଠବନ୍ଧନ ବିଷୟରେ ଚିନ୍ତା କରୁଛି। ରାଜନୀତି ପାଇଁ ସେମାନେ ଏହି ବିଲ୍କୁ ବିରୋଧ କରୁଛନ୍ତି।

ଆଲୋଚନା ସମୟରେ ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୫ ରେ ଏକ ଦଳ (AAP) କ୍ଷମତାକୁ ଆସିଥିଲା। ସେମାନଙ୍କର ଉଦ୍ଦେଶ୍ୟ ଦିଲ୍ଲୀର ସେବା କରିବା ନୁହେଁ ବରଂ ଲଢେଇ କରିବା। ସେମାନେ ଅଧିକାରୀଙ୍କ ଟ୍ରାନ୍‌ସଫର ଏବଂ ପୋଷ୍ଟିଂ ଅଧିକାର ଚାହୁଁ ନାହାଁନ୍ତି ବରଂ ଭିଜିଲାନ୍ସ ବିଭାଗ ଉପରେ ନିୟନ୍ତ୍ରଣ ଚାହୁଁଛନ୍ତି । ବିରୋଧୀ ଦଳର ପ୍ରାଥମିକତା ହେଉଛି ଏହାର ଗଠବନ୍ଧନକୁ ରକ୍ଷା କରିବା। ବିରୋଧୀ ମଣିପୁର ପାଇଁ ଚିନ୍ତିତ ନୁହଁନ୍ତି। ସମସ୍ତେ ଗୋଟିଏ ରାଜ୍ୟର ଅଧିକାର ବିଷୟରେ କହୁଛନ୍ତି, କିନ୍ତୁ କେଉଁ ରାଜ୍ୟ? ଦିଲ୍ଲୀ ଏକ ରାଜ୍ୟ ନୁହେଁ ବରଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ।

ଅନ୍ୟ ପକ୍ଷରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚଧୁରୀ ଲୋକସଭାରେ କହିଛନ୍ତି ଯେ ଯଦି ଦିଲ୍ଲୀରେ ଏପରି ଜାରି ରହେ ତେବେ ଆପଣ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଏହି ବିଲ୍ ଆଣିବେ। ଆପଣ ଭାବୁଛନ୍ତି କି ଏଠାରେ ଘୋଟାଲା ଚାଲୁଛି? ତେଣୁ ଆପଣଙ୍କ ପାଇଁ ଏହି ବିଲ୍ ଆଣିବା ଆବଶ୍ୟକ ଥିଲା ? ଆପଣଙ୍କ ହାତରେ ଇ.ଡି, ସିବିଆଇ, ଆଇ.ଟି ଅଛି। ଆପଣ ଏହାକୁ କାହିଁକି ବ୍ୟବହାର କରୁନାହାଁନ୍ତି ?

ସେହିଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ଦିଲ୍ଲୀର ଲୋକଙ୍କ ଅଧିକାର ଛଡ଼ାଇ ନେଇଥିବା ବିଲ୍ ଉପରେ ଅମିତ ଶାହା ଜୀ ଆଜି ଲୋକସଭାରେ ଫାଲତୁ କଥା କହିଛନ୍ତି। ବିଲକୁ ସମର୍ଥନ କରିବା ପାଇଁ ସେମାନଙ୍କର କୌଣସି ବୈଧ ଯୁକ୍ତି ନାହିଁ। ସେମାନେ ମଧ୍ୟ ଜାଣନ୍ତି ଯେ ସେମାନେ ଭୁଲ୍ କରୁଛନ୍ତି।  ଦିଲ୍ଲୀର ଲୋକଙ୍କୁ ଦାସ କରିବା ପାଇଁ ଏହି ବିଲ୍ ଆଣିଛନ୍ତି। ସେମାନଙ୍କୁ ଅସହାୟ କରିବା ପାଇଁ ଏହି ବିଲ୍ ଆସିଛି । I.N.D.I.A କେବେବି ଏହା ଘଟିବାକୁ ଦେବ ନାହିଁ।

Comments are closed.