ବହୁ ମାତ୍ରାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଗଚ୍ଛିତ କରନ୍ତୁ ନାହିଁ

ବାତ୍ୟାକୁ ନେଇ ସତର୍କ ରୁହନ୍ତୁ, ଅତଙ୍କିତ ହୁଅନ୍ତୁ ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ବର, ୪।୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଗକୁ କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ, କେଉଁଠାରେ ସ୍ଥଳ ଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଅଯଥା ଅତ୍ୟାବଶ୍ୟକ ସାମଗ୍ରୀ ବହୁ ମାତ୍ରାରେ କିଣି ମହଜୁଦ କରି ରଖନ୍ତୁ ନାହିଁ। ଏହାଦ୍ୱାରା ବଜାରରେ କୃତ୍ରିମ ଅଭାବ ଦେଖା ଦେଇପାରେ ଓ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି କହିଛନ୍ତି।

ମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ବଜାରରେ ସବୁପ୍ରକାର ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁତ ରହିଛି।  କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି। ଆବଶ୍ୟକ ସ୍ଥଳେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେ ଆହୁର କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସତର୍କ ରୁହନ୍ତୁ। ହେଲେ ଆତଙ୍କିତ ହୁଅନ୍ତୁ ନାହିଁ। ସରକାର ସବୁବେଳେ ଆପଣଙ୍କ ସହ ଅଛନ୍ତି।

ସୂଚନାଯୋଗ୍ୟ ଆଜି ସକାଳ‌େ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି।  ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସେହି ଅଞ୍ଚଳରେ ହିଁ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଭୁବନେଶ୍ୱର  ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

 

 

Leave A Reply

Your email address will not be published.