ପ୍ରାର୍ଥୀପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

0

ନୂଆଦିଲ୍ଲୀ, ୨୪/୦୬: ନାମାଙ୍କନ ପତ୍ର ଦାଖଲ କଲେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ସେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପ୍ରସ୍ତାବକ ହୋଇଛନ୍ତି। ନାମାଙ୍କନ ଦାଖଲ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। କଡ଼ା ସୁରକ୍ଷା ବଳୟ ଭିତରେ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି।

ଦ୍ରୌପଦୀ ମୁର୍ମୁ ୪ ସେଟ୍ ବିଶିଷ୍ଟ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମ ସେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବକ ହୋଇଥିବା ବେଳେ ରାଜନାଥ ସିଂହ ଅନୁମୋଦକ ହୋଇଛନ୍ତି। ଏହି ସେଟ୍‌ରେ ଏଯାବତ୍ ୬୦ ପ୍ରସ୍ତାବକଙ୍କ ନାମ ଏବଂ ୬୦ ଅନୁମୋଦକଙ୍କ ନାମ ରହିଛି। ଅର୍ଥାତ୍ ଏହିଭଳି ଭାବରେ ପ୍ରତ୍ୟେକ ସେଟ୍‌ରେ ୧୨୦ ଜଣଙ୍କ ନାମ ରହିଛି। ସେହିପରି ଦ୍ଵିତୀୟ ସେଟ୍‌ରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରସ୍ତାବକ ରହିଛନ୍ତି। ଏହି ସେଟ୍‌ରେ ଯୋଗୀ ଆଦିତ୍ୟନାଥ, ହିମନ୍ତ ବିସୱାଙ୍କ ସମେତ ବିଜେପି ଶାସିତ ସମସ୍ତ ଏନଡିଏ ମୁଖ୍ୟମନ୍ତ୍ରୀ ପ୍ରସ୍ତାବକ ରହିଛନ୍ତି।

ନାମାଙ୍କନବେଳେ ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀଙ୍କ ନାମାଙ୍କନପତ୍ରରେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିଛନ୍ତି। ସେହିପରି ରାଜ୍ୟ ବିଜେପିର ୧୨ ଜଣ ବିଧାୟକ କୁସୁମ ଟେଟେ, ଜୟନାରାୟଣ ମିଶ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରକାଶ ସୋରେନ, ମୋହନ ଚରଣ ମାଝୀ, ଡକ୍ଟର ବୁଦ୍ଧନ ମୁର୍ମୁ, ଜୟନ୍ତ ଷଡ଼ଙ୍ଗୀ, ନବଚରଣ ମାଝୀ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ ପ୍ରମୁଖ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁ ନାମାଙ୍କନପତ୍ରରେ ସମର୍ଥକ ଓ ପ୍ରସ୍ତାବକ ରହିଥିବାବେଳେ ପ୍ରାର୍ଥିପତ୍ର ଦାଖଲବେଳେ ଉପସ୍ଥିତ ଅଛନ୍ତି। ଅପର ପକ୍ଷରେ ଦେଶର ସର୍ବୋଚ୍ଚ ଆସନରେ ଓଡ଼ିଆ ଝିଅଙ୍କୁ ବସାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପୂରା ଦମ୍‌ ଲଗାଇ ଦେଇଛନ୍ତି । ଦ୍ରୌପଦୀଙ୍କ ସମର୍ଥନରେ ନବୀନ ନେତୃତ୍ୱ ନେଇ ଆଗକୁ ବାହାରିଛନ୍ତି । ଏକଦା ନବୀନଙ୍କ ହାତରେ ଯିଏ ରାକ୍ଷୀ ବାନ୍ଧିଥିଲେ, ସେଇ ଓଡ଼ିଆ ଭଉଣୀଙ୍କୁ ଜିତାଇବା ପାଇଁ ନବୀନ ସମସ୍ତ ପ୍ରକାର ସହଯୋଗ ଦେବାକୁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଛନ୍ତି ।

ଓଡ଼ିଆ ଅସ୍ମିତାର ପ୍ରସଙ୍ଗ ଉଠାଇ ନବୀନ ଯେଉଁଭଳି ସହଯୋଗର ହାତ ବଢ଼ାଇଛନ୍ତି, ତାହା ଜାତୀୟସ୍ତରରେ ବେଶ୍‌ ପ୍ରଶଂସା ସାଉଁଟିଛି । ଏନଡିଏର ପ୍ରାର୍ଥୀ ହୋଇଥିଲେ ମଧ୍ୟ ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରାଇବା ପାଇଁ ନବୀନ ଅଗ୍ରଣୀ ଭୂମିକା ନେଇଛନ୍ତି । ଦେଶର ସର୍ବୋଚ୍ଚ ପଦବୀ ପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଓଡ଼ିଶାରେ ଏବେ ଉତ୍ସବର ମାହୋଲ । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମ ଚୟନ କରିଛି । ରାଇସିନା ହିଲ୍‌ ଦୌଡ଼ରେ ବିଜୟୀ ହେଲେ, ଦ୍ରୌପଦୀ ହେବେ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି । ଦ୍ରୌପଦୀଙ୍କ ପୂର୍ବରୁ ଅନେକ ଅଗ୍ନିବର୍ଷୀ ମହିଳା ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏଣ୍ଟ୍ରି କରି ଓଡ଼ିଆଙ୍କୁ ଗୌରବାନ୍ୱିତ କରିଛନ୍ତି । ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନୋତ୍ତର ଓଡ଼ିଶା ରାଜନୀତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରି ଏମାନେ କେବଳ ଓଡ଼ିଶାର ନାରୀ ଜାତି ପାଇଁ ଉଦାହରଣ ପାଲଟିଛନ୍ତି ତାହା ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଶିଖରକୁ ନେଇଛନ୍ତି।

Leave A Reply

Your email address will not be published.