୩ ଅର୍ଥନୀତିଜ୍ଞ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ, ୧୧।୧୦ : ଅର୍ଥନୀତି କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଆଜି ଘୋଷଣା ହୋଇଛି ନୋବେଲ ପୁରସ୍କାର। ୩ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ଡେଭିଡ୍‌ କାର୍ଡ, ଜୋସୁଆ ଡି ଆଙ୍ଗ୍ରିଷ୍ଟ, ଗାଇଡୋ ଡବ୍ଲୁ. ଇମ୍ବେନ୍ସଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯିବ। ପୁରସ୍କାରର ଅଧା ଡେଭିଡ କାର୍ଡ ପାଇବାକୁ ଥିବା ବେଳେ ବାକି ଅଧା ଅନ୍ୟ ୨ ଜଣ ପାଇବେ। ଶ୍ରମ ଅର୍ଥନୀତିରେ ଡେଭିଡ କାର୍ଡଙ୍କୁ ତାଙ୍କ ପରୀକ୍ଷାମୂଳକ ଅବଦାନ ପାଇଁ ନୋବେଲ କମିଟି ପୁରସ୍କାରର ଅଧା ଭାଗ ପ୍ରଦାନ କରିଛି ଏବଂ ଅନ୍ୟ ଅର୍ଦ୍ଧେକ ମିଳିତ ଭାବରେ ଜୋଶୁଆ ଡି’ଆଙ୍ଗ୍ରିଷ୍ଟ ଓ ଗାଇଡୋ ଡବ୍ଲୁ ଇମ୍ବେନ୍ସଙ୍କୁ କାରଣ ସମ୍ବନ୍ଧୀୟ ବିଶ୍ଳେଷଣରେ ପଦ୍ଧତିଗତ ଅବଦାନ ପାଇଁ ଦିଆଯାଇଛି।

ସ୍ୱିଡିସ ଏକାଡେମି କହିଛି, ‘ଚଳିତ ବର୍ଷ ପୁରସ୍କାର ବିଜେତା ଡେଭିଡ, ଜୋସୁଆ ଓ ଗାଇଡୋ ଆମକୁ ବଜାର ବିଷୟରେ ନୂତନ ଜ୍ଞାନ ଦେଇଛନ୍ତି ଏବଂ ପ୍ରାକୃତିକ ପରୀକ୍ଷଣରୁ କେଉଁ କାରଣ ଓ ପ୍ରଭାବ ବିଷୟରେ ନିଷ୍କର୍ଷ ବାହାରିପାରିବ ତାହା ଜଣାଇଛନ୍ତି। ତାଙ୍କର ଆଭିମୁଖ୍ୟ ଅନ୍ୟ କ୍ଷେତ୍ରକୁ ବ୍ୟାପିଛି ଏବଂ ପରୀକ୍ଷାମୂଳକ ଅନୁସନ୍ଧାନରେ ପରିବର୍ତ୍ତନ ଆସିଛି।’

ଅର୍ଥନୈତିକ ବିଜ୍ଞାନରେ ନୋବେଲ ପୁରସ୍କାର ରୟାଲ ସ୍ୱିଡେନ ଏକାଡେମି ଅଫ ସାଇନ୍ସ ଷ୍ଟକହୋମ ଦ୍ୱାରା ପ୍ରଦାନ କରାଯାଉଛି। ନୋବେଲ ଫାଉଣ୍ଡେସନକୁ ୧୯୬୮ ମସିହାରେ ବ୍ୟାଙ୍କର ୩୦୦ତମ ବାର୍ଷିକୀରେ ସେଭେରିଜ୍ ରିକ୍ସବ୍ୟାଙ୍କରୁ ଏକ ଦାନ ଗ୍ରହଣ କରିଥିଲା। ଏହି ପୁରସ୍କାର ସେହି ଦାନ ଉପରେ ଆଧାରିତ।

 

Comments are closed.