ସିବିଏସ୍‌ଇ ସ୍କୁଲରେ ଶିକ୍ଷାର୍ଥୀମାନେ ମାତୃଭାଷାରେ ପାଠ ପଢିପାରିବେ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୨/୭: ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ। ଏଥିପାଇଁ ସିବିଏସଇ ବିଜ୍ଞପ୍ତି ଜାରି କରିସାରିଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ରାଷ୍ଟ୍ରୀୟ ଶିକ୍ଷା ନୀତି ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଉଅଛି। ପୂର୍ବରୁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦିରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିଲା। ଏଣିକି ସମସ୍ତ ସିବିଏସଇ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଇଂରାଜି ଓ ହିନ୍ଦି ଭାଷା ବ୍ୟତିତ ପିଲାଙ୍କ ଇଚ୍ଛାନୁସାରେ ଓଡ଼ିଆ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବ।

ମାତୃଭାଷାରେ ପାଠ ପଢ଼ିଲେ ହିଁ ଛାତ୍ରଛାତ୍ରୀମାନେ ଭଲ ଭାବେ ପାଠକୁ ବୁଝି ପାରିବେ। ମୂଳ ବିଷୟର ସ୍ପଷ୍ଟତା ଆସିବ। ଛାତ୍ରଛାତ୍ରୀଙ୍କର ଚିନ୍ତନ ଶକ୍ତି ବୃଦ୍ଧି ପାଇବ, ଯାହା ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ତେବେ ପିଲାମାନେ କେଉଁ ଭାଷାରେ ପାଠ ପଢିବେ, ସେଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନାହିଁ। ସିବିଏସଇ ସ୍କୁଲ ଗୁଡ଼ିକ ଧୀରେ ଧୀରେ ଏ ବ୍ୟବସ୍ଥାକୁ ଆପଣାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପଦକ୍ଷେପ ଭାରତୀୟ ଭାଷା ଆଧାରିତ ଶିକ୍ଷାକୁ ବଢାଇବ । ଶିକ୍ଷାର ଆଉଟକମ ପାଇଁ ଏହା ଏକ ଭଲ ଶୁଭାରମ୍ଭ ବୋଲି ସେ କହିଛନ୍ତି।

Comments are closed.