ଆରମ୍ଭ ହେଲା ପୌର ନିର୍ବାଚନ ପ୍ରକ୍ରିୟା

ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶନାମା

0

 

ଭୁବନେଶ୍ବର, ୨୫।୧୦: ପୌର ନିର୍ବାଚନକୁ ୩ ବର୍ଷ ଧରି ଗଡ଼ାଇ ଚାଲିଥିବା ରାଜ୍ୟ ସରକାର ଶେଷରେ ପୌର ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୌର ଓ ଏନ୍‌ଏସି ଭୋଟ ପାଇଁ ନଭେମ୍ବର ୯ ଓ ମହାନଗର ନିଗମ ପାଇଁ ନଭେମ୍ବର ୧୫ରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣର ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଏନ୍‌ଏସି ଓ ପୌରାଞ୍ଚଳ ନିମନ୍ତେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ଚୂଡ଼ାନ୍ତ ବିଜ୍ଞପ୍ତି ନଭେମ୍ବର ୨୯ ତାରିଖରେ ଓ ୩ଟି ମହାନଗର ନିଗମର ୱାର୍ଡ ଓ ସିଟ୍ ସଂରକ୍ଷଣ ଚୂଡ଼ାନ୍ତ ବିଜ୍ଞପ୍ତି ଜାନୁୟାରୀ ୨୦ ତାରିଖରେ ପ୍ରକାଶ ପାଇବ। ଆଇନଗତ ବିବାଦ ଯୋଗୁ କେନ୍ଦ୍ରାପଡ଼ା ମ୍ୟୁନିସପାଲଟି ସମେତ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ଏହି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ଜଣାପଡ଼ିଛି।

ଆଜି ରାଜ୍ୟ ମ୍ୟୁନିସପାଲ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟର ୧୦୫ଟି ମ୍ୟୁନିସପାଲଟି ଓ ଏନ୍‌ଏଏସିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏସବୁରେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଅନୁସୂଚିତ ଜାତି, ଜନଜାତି, ଓବିସି ଓ ମହିଳାଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ପ୍ରକ୍ରିୟାର ଚିଠା ବିଜ୍ଞପ୍ତି ନଭେମ୍ବର ୯ରେ ପ୍ରକାଶ ପାଇବ। ଜିଲ୍ଲାପାଳମାନେ ଆପତ୍ତି ଅଭିଯୋଗର ଶୁଣାଣି ନଭେମ୍ବର ୧୮ତାରିଖ ସୁଦ୍ଧା ଶେଷ କରିବେ। ନଭେମ୍ବର ୨୯ ତାରିଖରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ଜିଲ୍ଲାପାଳମାନେ ଜାରି କରିବେ। ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଉପରେ ଆପତ୍ତି ଥିଲେ ନଭେମ୍ବର ୨୯ରୁ ଡିସେମ୍ବର ୧୩ ତାରିଖ ମଧ୍ୟରେ ରାଜ୍ୟ ନଗର ଉନ୍ନୟନ ବିଭାଗରେ କରାଯାଇପାରିବ ।

ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖରେ ଶେଷ ହେବ। ଜାନୁୟାରୀ ୨୦ତାରିଖରେ ୱାର୍ଡସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ(ଅନୁସୂଚିତ ଜାତି, ଜନଜାତି, ଓବିସି ଓ ମହିଳା) ବିଜ୍ଞପ୍ତି ପ୍ରକାଶ ପାଇବ। ନଭେମ୍ବର ୧୫ ତାରିଖ ସୁଦ୍ଧା ମହାନଗର ନିଗମଗୁଡ଼ିକ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଧାରିତ ଦୁଇଟି ଫର୍ମରେ ଏହି ତଥ୍ୟ ଦାଖଲ କରିବେ। ଡିସେମ୍ବର ୧୦ରେ ଏହି ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣର ଚିଠା ବିଜ୍ଞପ୍ତି ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ହେବ। ଡିସେମ୍ବର ୧୯ତାରିଖ ସୁଦ୍ଧା ଏହା ଉପରେ ଆପତ୍ତି-ଅଭିଯୋଗ ପରେ ଜାନୁୟାରୀ ୨୦ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ର ଧାରା ୧୧ ଏବଂ ଓଡ଼ିଶା ମ୍ୟୁନିସପାଲ ରୁଲସ୍‌-୧୯୯୪ ଅନ୍ତର୍ଗତ ସିଟ୍ ସଂରକ୍ଷଣ କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ୧୦୧ଟି ମ୍ୟୁନସପାଲଟି ଓ ଏନ୍‌ଏସି ସମେତ ନବଗଠିତ ୪ଟି ଏନ୍‌ଏଏସିର କାର୍ଯ୍ୟକାଳ ଶେଷ ହୋଇସାରିଥିବାରୁ ଏଠାରେ ନିର୍ବାଚନ କରାଯିବ। ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବ। ରାଜ୍ୟରେ ମୋଟ ୫ଟି ମହାନଗର ନିଗମ ଥିବା ବେଳେ ୪୮ଟି ମ୍ୟୁନିସପାଲଟି ଓ ୬୧ଟି ଏନ୍‌ଏସି ରହିଛି। କୋର୍ଟ ମାମଲା ଯୋଗୁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ, କେନ୍ଦ୍ରାପଡ଼ା ମ୍ୟୁନସିପାଲଟି ସମେତ ଅନ୍ୟ ୪ଟି ପୌର ଓ ଏନଏସିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ।

Leave A Reply

Your email address will not be published.