ପ୍ରକୃତିଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଲେ ହାଇକୋର୍ଟ

0

କଟକ, ୨୦।୨: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏତଲା ଆଧାରରେ ଖାରବେଳନଗର ଥାନାରେ ରୁଜୁ ମାମଲାରେ ଚାର୍ଜସିଟ ଦାଖଲ ହୋଇ ସାରିଛି। କିନ୍ତୁ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ନାହିଁ। ଏନେଇ ଭୁବନେଶ୍ବର ଡିସିପିଙ୍କ ନିକଟରେ ପ୍ରକୃତିଙ୍କ ଅଭିଯୋଗ ବିଚାରାଧୀନ ଥିବା ବେଳେ ଏହା ଉପରେ କିଛି ପଦକ୍ଷେପ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଆଜି ହାଇକୋର୍ଟରେ ପୁଲିସ ନିଷ୍କ୍ରିୟତା ବିରୋଧରେ ଦାୟର ମାମଲାର ଶୁଣାଣି ସମୟରେ ପ୍ରକୃତି ମିଶ୍ରଙ୍କ ତରଫରୁ ଏପରି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ଡିସିପିଙ୍କ ନିକଟରେ ବିଚାରାଧୀନ ପ୍ରକୃତିଙ୍କ ଅଭିଯୋଗ ଉପରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକୃତିଙ୍କ ଅଭିଯୋଗ ଉପରେ ଶୁଣାଣି କରି ଡିସିପି ୨ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ହାଇକୋର୍ଟ ପ୍ରକୃତିଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକୃତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପୁଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ପ୍ରକୃତି ୨୦୨୨, ଅଗଷ୍ଟ ୨୩ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ପ୍ରକୃତିଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ୨୦୨୨ ବର୍ଷ ଜୁଲାଇ ୨୩ରେ ତାଙ୍କୁ ରାସ୍ତାରେ ଟଣାଓଟରା କରାଯିବା ସହିତ ଆକ୍ରମଣ କରାଯାଇଥିଲା। ଗାଳିଗୁଲଜ କରାଯାଇଥିଲା। ଏ ନେଇ ଖାରବେଳନଗର ଥାନାରେ ସେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହି ମାମଲାରେ ଯେ‌ଉଁ ଦଫାରେ ମାମଲା ରୁଜୁ ହେବା କଥା ତାହା କରାଯାଇ ନାହିଁ। ଏ ନେଇ ଡିସିପିଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ଆବେଦନରେ ଦର୍ଶାଯାଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୨, ଜୁଲାଇ ୨୩ରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଂପର୍କକୁ ନେଇ ଝଡ଼ ଉଠିଥିଲା। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବିଚ୍ ରାସ୍ତାରେ ବାବୁସାନ ଓ ପ୍ରକୃତିଙ୍କୁ ଟଣାଓଟରା କରିବା ଦୃଶ୍ୟର ଭିଡିଓ ଭାଇରାଲ ହୋଇଥିଲା। କଥା ଯାଇ ପୁଲିସ ନିକଟରେ ପହଞ୍ଚିଥିଲା। ଏ ନେଇ ଖାରବେଳନଗର ଥାନାରେ ଦୁଇଟି ଏତଲା ରୁଜୁ ହୋଇଥିଲା। ପ୍ରକୃତି ମଶ୍ରଙ୍କ ତରଫରୁ ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ଗୋଟିଏ ଏତଲା ଦିଆଯାଇଥିଲା। ଅନ୍ୟପକ୍ଷରେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ତରଫରୁ ମଧ୍ୟ ଖାରବେଳନଗର ଥାନାରେ ଆଉ ଏକ ଏତଲା ଦିଆଯାଇଥିଲା। ପ୍ରକୃତିଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.