ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର: ପେଟ୍ରୋଲ ୮୪ ଓ ଡିଜେଲ ୮୦ ପାର୍

ଭୁବନେଶ୍ବର, ୬।୧୨: ପୁଣି ପେଟ୍ରୋଲ ଓ ଡିଜେଲର ଦରରେ ବୃଦ୍ଧି ଘଟିଛି। ଦେଶରେ କ୍ରମାଗତ ଭାବେ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସର୍ବୋଚ ସ୍ତରରେ ପହଞ୍ଚିଛି। ରାଜଧାନୀରେ ପେଟ୍ରୋଲ ଦର ୮୪ ଟଙ୍କା ଟପିଥିବା ବେଳେ ଡିଜେଲ ଦର ୮୦ ଟଙ୍କା ପାର୍‌ କରିଛି। ପେଟ୍ରୋଲ ଗତ କାଲି ୧ ଲିଟରକୁ ୮୩ ଟଙ୍କା ୭୧ ଟଙ୍କା ରହିଥିଲା। ଆଜି ଏଥିରେ ୨୯ ପଇସା ବଢି ୮୪ ଟଙ୍କାରେ ପହଞ୍ଚିଛି। ସେହିଭଳି ଡିଜେଲ ଲିଟର ପିଛା ୭୯ ଟଙ୍କା ୮୨ ପଇସା ରହିଥିବା ବେଳେ ଆଜି ଏଥିରେ ୩୧ ପଇସା ବୃଦ୍ଧି ଘଟି ୮୦ ଟଙ୍କା ପାର୍ ହୋଇଛି। ଖୁବ୍‌ ଶୀଘ୍ର କରୋନା ଟିକା ଆସିବାର ଆଶା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।
କ୍ରମାଗତ ଭାବେ ଚାରି ଦିନ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୮୩ ଟଙ୍କା ୧୩ ପଇସାରେ ପହଞ୍ଚିଛି। ପ୍ରାୟ ଦୁଇ ବର୍ଷ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲର ଏହା ହେଉଛି ସର୍ବୋଚ୍ଚ ଦର। ଶୁକ୍ରବାର ତୁଳନାରେ ଶନିବାର ଦିଲ୍ଲୀରେ ପେଟ୍ରୋଲ ଦରରେ ଲିଟର ପିଛା ୨୭ ପଇସା ଏବଂ ଡିଜେଲ ଦରରେ ୨୫ ପଇସା ବୃଦ୍ଧି ଘଟିଛି। ଆଜି ଡିଜେଲ ଦର ଦିଲ୍ଲୀରେ ଲିଟର ପିଛା ୭୩ ଟଙ୍କା ୩୨ ପଇସା ଛୁଇଁଛି।
ନଭେମ୍ବର ୨୦ ତାରିଖରୁ ଆଜି ସୁଦ୍ଧା ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ୧୩ ଥର ବୃଦ୍ଧି କଲେଣି। ଗତ ୧୬ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ୭ ପଇସା ଏବଂ ଡିଜେଲ ଦର ଲିଟର ପିଛା ୨ ଟଙ୍କା ୮୬ ପଇସା ମହଙ୍ଗା ହୋଇଯାଇଛି। ପେଟ୍ରୋଲିୟମ ଉତ୍ପାଦ ଜିଏସ୍ଟି ପରିସରଭୁକ୍ତ ନଥିବାରୁ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହୁଛି।

Comments are closed.