ଝାରସୁଗୁଡା ଉପନିର୍ବାଚନ: ସିଇଓଙ୍କ ପ୍ରସ୍ତୁତି ଶେଷ, ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା

0

ଭୁବନେଶ୍ୱର, ୧୨/୫: ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା ଓ ଫଳାଫଳ ଘୋଷଣା କାର୍ଯ୍ୟ। ଏ ନେଇ ସୂଚନା ଦେଇଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ। ସିଇଓଙ୍କ ସୂଚନା ଅନୁସାରେ, ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ହୋଇଛି ମତଗଣନା କେନ୍ଦ୍ର। ମତଗଣନା ସକାଳ ୮ଟାରୁ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ହେବ। ସେହିପରି ସକାଳ ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ।

ଇଭିଏମ୍‌ ଗଣନା ଲାଗି ୧୪ଟି କାଉଟିଂ ଟେବୁଲ ବ୍ୟବସ୍ଥା ହୋଇଛି। ଆଉ ଗୋଟିଏ କାଉଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ। ୧୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହେବ। ସନ୍ଧ୍ୟା ୪ଟା ରୁ ୬ଟା ଭିତରେ ଫଳାଫଳ ଆସି ଯାଇପାରେ। ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର୍‌ ଉପସ୍ଥିତ ରହିବେ। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଂ ସୁପରଭାଇଜର, ଜଣେ ସହାୟକ ରହିବେ। ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ। ଗ୍ରାଉଣ୍ଡବାରି ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି।

ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ। ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଂ ସେଣ୍ଟରରେ ଉପସ୍ଥିତ ରହିପାରିବେ। ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୁଲିସ ଓ ଓଡ଼ିଶା ପୁଲିସ ନିୟୋଜିତ ହେବେ। ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ। www.result.eci.gov.in କୁ ଲଗଇନ କରି ରାଉଣ୍ଡ ଅନୁସାରେ ଫଳାଫଳ ଜାଣି ହେବ। ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗତ ୧୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା।

Leave A Reply

Your email address will not be published.