ଭାରତମାଳା ପ୍ରକଳ୍ପରେ କୋରାପୁଟ-ନବରଙ୍ଗପୁର ୨୪୫ କିମି ରାସ୍ତା ହେବ ୪ ଲେନ୍

0

ଭୁବନେଶ୍ବର, ୧୭।୪: କେନ୍ଦ୍ର ସରକାରଙ୍କ ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ କୋରାପୁଟ ଓ ନବରଙ୍ଗପୁର ମଧ୍ୟରେ ୨୪୫ କିମି ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରାଯିବ ଓ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜୟପୁର ସହରରୁ ଆସନ୍ତା ୩ ମାସ ମଧ୍ୟରେ ବ୍ୟବସାୟିକ ବିମାନ ଚଳାଚଳ ସେବା ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି।

ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ଶ୍ରୀ ମହାପାତ୍ର ଆଜି କୋରାପୁଟ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟ ରାସ୍ତା ନିର୍ମାଣ କାର୍ଯ୍ୟ ଚଳିତ ମୌସୁମୀ ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରି ଯେତେଶୀଘ୍ର ସମ୍ଭବ ଜାତୀୟ ରାଜପଥକୁ ଜମି ହସ୍ତାନ୍ତର କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୨୪୫କିମି ରାସ୍ତା ଛତିଶଗଡ଼ର ରାୟପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସଂଯୋଗ କରୁଛି। ଏହି ରାସ୍ତା ମଧ୍ୟରେ ହାଲ୍ ଓ ନାଲକୋ ଭଳି ବିଭିନ୍ନ ଅର୍ଥନୀତିକ ହବ୍ ଓ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ରହିଛି। ଶ୍ରୀ ମହାପାତ୍ର ଦେଓମାଳି ଗସ୍ତ କରି ସେଠାରେ ରହୁଥିବା ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରାକୃତିକ ପରିବେଶକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଇକୋ-ରିଜର୍ଭ ପାଇଁ ସ୍ଥାନ ଚିହ୍ନଟ କରିବାକୁ ସେ କୋରାପୁଟ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜୟପୁର ସହରରୁ ବାଣିଜ୍ୟିକ ବିମାନ ଚଳାଚଳ ସେବା ଖୁବଶୀଘ୍ର ଆରମ୍ଭ ହେବ। ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ବିମାନ ଚଳାଚଳ ଆସନ୍ତା ୩ମାସ ମଧ୍ୟରେ ହେବାର ଆଶା କରାଯାଉଛି। ସେହିପରି ଜିଲ୍ଲା ମୁଖ୍ୟାଳୟରେ ୩୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ୧୮ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେବା ସହ ୨୦୦ବର୍ଷ ପୁରୁଣା ଜଗନ୍ନାଥ ସାଗରକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ଓ ପୁନରୁଦ୍ଧାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏସବୁ ବ୍ୟତୀତ କୋଟିଆ ଗ୍ରାମପୁଞ୍ଜ ପାଇଁ ସ୍ୱତନ୍ତ୍ର ପ୍ୟାକେଜକୁ କାର୍ଯ୍ୟକାରୀ କରିବା ଜୀବିକା ସୁଯୋଗ ସୃଷ୍ଟି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ସଡ଼କ ଓ ପୋଲ ନିର୍ମାଣ କାର୍ଯ୍ୟ ଆଦିକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତବେଳେ ଶ୍ରୀ ମହାପାତ୍ର ଜୟପୁର, କୋରାପୁଟ, କୋଟିଆ, ନାରାୟଣପାଟଣା ଓ ବନ୍ଧୁଗାଁ ଗସ୍ତ କରିବା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.