ଗଙ୍ଗାରେ ମେଡାଲ ଭସାଉଥିବା କୁସ୍ତିଯୋଦ୍ଧାଙ୍କୁ ରୋକିଲେ ଚାଷୀ ନେତା ନରେଶ ଟିକାୟକ

ସରକାରଙ୍କୁ ୫ ଦିନର ଅନ୍ତିମ ଚେତାବନୀ

0

ନୂଆଦିଲ୍ଲୀ ୩୦/ ୦୫: କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଦୀର୍ଘଦିନ ହେଲା ଧାରଣା ଦେଉଥିବା କୁସ୍ତି ଯୋଦ୍ଧା ମଙ୍ଗଳବାର ବଡ ଧରଣର ହଙ୍ଗାମା କରିଛନ୍ତି । କୁସ୍ତି ଯୋଦ୍ଧାମାନେ ସକାଳେ ଘୋଷଣା କରିଥିଲେ କି, ହରିଦ୍ବାର ଯାଇ ନିଜ ନିଜ ମେଡାଲ ଗୁଡିକୁ ଗଙ୍ଗା ନଦୀରେ ଭସାଇ ଦେବେ । ତେବେ ଘୋଷଣା ମୁତାବକ ସନ୍ଧ୍ୟାରେ ହରିଦ୍ବାରରେ ପହଞ୍ଚିଥିଲେ । କିନ୍ତୁ ମେଡାଲ ଭସାଇବା ପୂର୍ବରୁ ଚାଷୀ ନେତା ନରେଶ ଟିକାୟତ କୁସ୍ତି ଯୋଦ୍ଧାମାନଙ୍କୁ ଅଟକାଇଥିଲେ । ସମସ୍ତଙ୍କୁ ବୁଝାସୁଝା କରିବା ସହିତ ମେଡାଲ ନ ଭସାଇବା ପାଇଁ ଅନୁରୋଧ କରିଥିଲେ । ଏହା ସହିତ ସରକାରଙ୍କୁ ୫ ଦିନ ସମୟ ଦେବାକୁ ଧାରଣାରତ କୁସ୍ତି ଯୋଦ୍ଧାଙ୍କୁ କହିଛନ୍ତି ଚାଷୀ ନେତା ନରେଶ ଟିକାୟତ ।

ସୂଚନା ଯେ, ରେସଲର୍‌ ବଜରଙ୍ଗ ପୁନିୟାଙ୍କ ସମେତ ବିନେଶ ଫୋଗାଟ ଏବଂ ସାକ୍ଷୀ ମଲିକ ସାମାଜିକ ଗଣମାଧ୍ୟମରେ ବୟାନ ଜାରି କରି କହିଥିଲେ ଯେ, ‘ଆମେ ସମସ୍ତେ ଗଙ୍ଗା ନଦୀରେ ମେଡାଲ ସବୁକୁ ଭସାଇବାକୁ ଯାଉଛୁ । କାରଣ ଗଙ୍ଗାକୁ ଯେତିକି ପବିତ୍ର ବୋଲି ଆମେ ମାନୁଛେ, ସେତେ ପବିତ୍ରତାର ସହିତ ଆମେ କଠିନ ପରିଶ୍ରମ କରି ମେଡାଲ ଜିତିଥିଲୁ । ତେଣୁ ଆମ ଅଭିଯୋଗ କିଛି ଶୁଣାଯାଉ ନଥିବାରୁ ଆବେ ମେଡାଲ ଗୁଡିକୁ ଗଙ୍ଗା ନଦୀରେ ଭସାଇଦେବାକୁ ଯାଉଛୁ । ଗଙ୍ଗାରେ ମେଡାଲ ଭସାଇବା ପରେ ଇଣ୍ଡିଆ ଗେଟ୍‌ ନିକଟରେ ଆମରଣ ଅନଶନରେ ବସିବୁ’।

ସୂଚନା ଥାଉକି, କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ନାଁରେ ଜଣେ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ । ଘଟଣାର ପ୍ରତିବାଦରେ ଅନେକ କୁସ୍ତିଯୋଦ୍ଧା ଏପ୍ରିଲ ୨୩ ତାରିଖରୁ ଧାରଣାରେ ବସିଛନ୍ତି । ନୂଆ ସଂସଦ ଭବନ ଉଦଘାଟନ ଦିନ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନଙ୍କ ସହ ଖାପ୍ ପଞ୍ଚାୟତର ଆହ୍ୱାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଜନ୍ତର-ମନ୍ତରରୁ ନୂଆ ସଂସଦ ଭବନ ପଟେ ଏକ ଶୋଭାଯାତ୍ରା ବାହାର କରିଥିଲେ । ଏଥିରେ ପୋଲିସ ସେମାନଙ୍କ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । କିଛି ରେସଲର୍‌ ତଳେ ମଧ୍ୟ ପଡିଯାଇଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସ ପ୍ରଦର୍ଶନକାରୀଙ୍କୁ ହେପାଜତକୁ ନେଇଥିଲା ।

 

Leave A Reply

Your email address will not be published.