କୋହଳ ହେଲା ଲକ୍‌ଡାଉନ୍ କଟକଣା, ଜୁଲାଇ ୧ ଯାଏ ଆଂଶିକ ଲକ୍ଡାଉନ୍

0

ଭୁବନେଶ୍ବର,୧୬।୬: ଆଉ ୨ ସପ୍ତାହ ବଢ଼ିଲା ଲକ୍‌ଡାଉନ୍‌ ଅବଦ୍ଧି। ଜୁନ୍‌ ୧୭ ତାରିଖ ସଂଧ୍ୟା ୫ଟାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଥିବା ବେଳେ ଜୁଲାଇ ୧ ତାରିଖ ଯାଏ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଳବତ୍ତର ରହିବ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ସମ୍ପର୍କରେ ଘୋଷଣା କରିଛନ୍ତି। ସଂକ୍ରମଣ ହାରକୁ ଦେଖି ସାରା ରାଜ୍ୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ୫%ରୁ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକୁ କାଟାଗୋରି-ଏରେ ରଖାଯାଇଛି। ଏଥିରେ ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲା ରହିଛି। ଏଠାରେ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ଅନ୍ୟାନ୍ୟ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ। ୫% ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକୁ କାଟାଗୋରି-ବିରେ ରଖାଯାଇଛି। ଏଥିରେ ମୁଖ୍ୟତଃ ଅନୁଗୁଳ, ଢେଙ୍କାନାଳ ସମେତ ଉପକୂଳ ଅଞ୍ଚଳର ୧୩ଟି ଜିଲ୍ଲା ରହିଛି।

ଏଠାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ଯାଏ ‌ଖୋଲା ରହିବ।
ଲକଡାଉନ୍ ସମୟରେ ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକ ନିର୍ଦ୍ଧାରିତ ସମୟ ଭିତରେ ଖୋଲିବାକୁ ଅନୁମତି ଦିଆଯାଇଛି। ଉଠା ଦୋକାନରେ ଖାଦ୍ୟ ବିକ୍ରିକୁ ଅନୁମତି ଦିଆଯାଇଛି। ତେବେ ସେଠାରେ କେବଳ ଖାଦ୍ୟ ପାର୍ସ‌ଲ୍‌ ଦିଆଯିବ। ସେହିପରି ଲୋକଙ୍କୁ ମର୍ଣ୍ଣିଂ ୱାକ୍, ଜଗିଂ ଓ ସାଇକେଲିଂ ପାଇଁ ସକାଳ ୬ଟାରୁ ୯ଟା ତିନି ଘଣ୍ଟା ସମୟ ଦିଆଯାଇଛି। କିନ୍ତୁ ପାର୍କ, ଜିମ୍ ଆଦି ଖୋଲିପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। କେବଳ ଗୋଟିକିଆ ଦୋକାନକୁ ପୂର୍ବ ପରି ଅନୁମତି ମିଳିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଯାଇ ଆଣିବେ।

ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲା ରହିବ। ଖାଦ୍ୟ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ‘ହୋମ୍‌‌ ଡେଲିଭରି’ ଉପରେ କୌଣସି କଟକଣା କରାଯାଇ ନାହିଁ। କାଟାଗୋରି-ଏରେ ଥିବା ୧୭ଟି ଜିଲ୍ଲାରେ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ କୌଣସି ଜିଲ୍ଲାରେ ମଲ୍‌, ସେଲୁନ୍, ସ୍ପା, ସୁଇମିଂ ପୁଲ୍‌, ସିନେମା ହଲ୍‌ ଆଦି ଖୋଲିବ ନାହିଁ। ଦୈନିକ ଓ ସାପ୍ତାହିକ ହାଟ ପୂର୍ବ ପରି ବନ୍ଦ ରହିବ।

ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ। ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ।

ସବୁ ପ୍ରକାର ଯାତ୍ରବାହୀ ବସ୍‌ ଚଳାଚଳ ବାତିଲ କରାଯାଇଛି। ରାଜ୍ୟ ଭିତରେ କିମ୍ବା ବାହାରକୁ କୌଣସି ବସ୍‌ ଚଳାଚଳ କରିପାରିବ ନାହିଁ। ସ୍ବାସ୍ଥ୍ୟ ସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ବ୍ୟାଙ୍କିଂ ସେବା ଆଦି ପୂର୍ବ ପରି ଚାଲୁ ରହିବ। ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଯଥ‌ାରୀତି ଜାରି ରଖିବେ। ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିତରଣ କରିପାରିବେ। ସରକାରୀ ଓ ବେସରକାରୀ ଅଫିସ୍‌ଗୁଡ଼ିକ ୫୦% କର୍ମଚାରୀରେ କାର୍ଯ୍ୟ କରବେ। ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିସନ୍‌ଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ। ନିର୍ମାଣ କାର୍ଯ୍ୟ, ଶିଳ୍ପ ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପୂର୍ବଭଳି କଟକଣା କୋହଳ ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ।

 

Leave A Reply

Your email address will not be published.