ତିନି ଜିଲ୍ଲାରେ ନୂଆ ଏସ୍‌ପି, ବ୍ରଜରାଜନଗର ଏସ୍‌ଡିପିଓଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି

0

ଭୁବନେଶ୍ୱର, ୦୧/୦୨: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ପରେ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କୁ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଝାରସୁଗୁଡ଼ାରେ ନୂଆ ଏସ୍‌ପି ଭାବେ ନିଯୁକ୍ତ ହୋଇଛନ୍ତି ବରଗଡ଼ ଜିଲ୍ଲା ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ । ରାହୁଲ ଜୈନଙ୍କୁ ପୁଲିସ ମୁଖ୍ୟାଳୟ ଏସ୍‌ପି ଭାବେ ବଦଳି କରାଯାଇଛି । ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ନିଯୁକ୍ତି ଦେଇଛନ୍ତି ଡିଜିପି । ବୌଦ୍ଧ ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସ୍‌ପି ଏବଂ ରାୟଗଡ଼ା ଅତିରିକ୍ତ ଏସ୍‌ପି ରାଜ ପ୍ରସାଦଙ୍କୁ ବୌଦ୍ଧ ଏସ୍‌ପି ଭାବେ ବଦଳି କରାଯାଇଛି ।

ଏହି ହତ୍ୟାକାଣ୍ଡର ଦୁଇ ଦିନ ପରେ ମଧ୍ୟ କାରଣ ଜଣାପଡ଼ିନାହିଁ । କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଏନେଇ ଡିଜିପି ସୁନିଲ ବଂଶଲ ମୁହଁ ଖୋଲି ନାହାନ୍ତି କି ଗଣମାଧ୍ୟମକୁ ସାମ୍ନା କରୁନାହାନ୍ତି । ଗତକାଲି ସେ କଟକ ଅଫିସ୍‌କୁ କିଛି ସମୟ ପାଇଁ ଆସିଥିଲେ । ହେଲେ ଆଜି (ମଙ୍ଗଳବାର) ସେ କଟକ ଅଫିସ୍‌କୁ ଯାଇ ନଥିଲେ କି ଭୁବନେଶ୍ୱର କ୍ୟାମ୍ପ୍‌ ଅଫିସ୍‌କୁ ମଧ୍ୟ ଆସି ନଥିଲେ । ଏହି ଘଟଣାରୁ ସେ ନିଜକୁ ଦୂରେଇ ରଖୁଛନ୍ତି । ବଡ଼ କଥା ହେଲା ଜଣେ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ଅଧିକାରୀ ଗୁଳି କରି ହତ୍ୟା କଲେ, ଅଭିଯୁକ୍ତର ଗୁଳିରେ ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ମଧ୍ୟ ଆହତ ହେଲେ । ହେଲେ ଡିଜିପି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିନାହାନ୍ତି କି ଚିକିତ୍ସାଧୀନ ଆଇଆଇସିଙ୍କୁ ମଧ୍ୟ ଭେଟି ନାହାନ୍ତି ।

Leave A Reply

Your email address will not be published.