ସ୍ବାଧୀନତା ଦିବସରେ ହେବନି ପରେଡ୍, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ବର, ୯।୮: ସ୍ବାଧୀନତା ଦିବସରେ ହେବନି ପରେଡ୍। କୋଭିଡ ପାଇଁ ସ୍ବାଧୀନତା ଦିବସରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏଥର ଅଗଷ୍ଟ ୧୫ରେ ରାଜ୍ୟରେ ପରେଡ୍ ହେବନି କି ଏଥିରେ ସ୍କୁଲ ଛାତ୍ରଛାତ୍ରୀମାନେ ଭାଗ ନେବେନି। କେବଳ ୩ଟି କଣ୍ଟିଜେଣ୍ଟ ଏହି ପରେଡରେ ସାମିଲ ହେବେ। ଓଏସ୍‌ଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ। ଏଥିପାଇଁ ୩ ଦିନ ହେବ ପ୍ରାକ୍ଟିସ୍ । ପ୍ରଦର୍ଶନୀ ପଡ଼ିଆରେ ୧୧, ୧୨ ଓ ୧୩ ତାରିଖରେ କଣ୍ଟିଜେଣ୍ଟ ଅଭ୍ୟାସ କରିବେ କଣ୍ଟିଜେଣ୍ଟ।

 ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ରିହର୍ସଲ ଦିନ ନିର୍ଦ୍ଧାରିତ ସମୟର ଅଧାଘଣ୍ଟା ପୂର୍ବରୁ କଣ୍ଟିଜେଣ୍ଟ ପହଞ୍ଚିବେ। ଯେଉଁ କଣ୍ଟିଜେଣ୍ଟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ସେମାନଙ୍କ ଲାଗି କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ। ଫ୍ଲାଗ୍ ପୋଷ୍ଟ ପାଖରେ ନିୟୋଜିତ ହେବାକୁ ଥିବା ଅଫିସର କୋଭିଡ ନେଗେଟିଭ ହେବା ସହ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଏଥର ସ୍ବାଧୀନତା ଦିବସ ସମାରୋହରେ ଜନ ସମାଗମକୁ ବି ବାରଣ କରାଯାଇଛି। ଏଥର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ।

Comments are closed.