ନୂଆଦିଲ୍ଲୀ, ୬।୫ : ଏଣିକି ସେନାରେ ବି ଠିକାରେ ସୈନିକମାନଙ୍କୁ ନିଯୁକ୍ତି ଦିଆଯିବ। ସରକାରଙ୍କ ଠିକା ସେନା ନିଯୁକ୍ତି ନୀତି ଅନୁସାରେ ନୂଆ ନିଯୁକ୍ତି ପାଉଥିବା ପ୍ରାୟ ୫୦ ପ୍ରତିଶତ ସୈନିକ ୫ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିବେ। ଅବଶିଷ୍ଟ ୫୦ ପ୍ରତିଶତ ପୂର୍ବ ପରି ସ୍ବାଭାବିକ ସମୟରେ ଅବସର ନେବେ। ସରକାରଙ୍କ ଏହି ପ୍ରସ୍ତାବିତ ସେନା ନିଯୁକ୍ତି ମଡେଲକୁ ଟୁର ଅଫ ଡ୍ୟୁଟି କୁହାଯାଉଛି। ଏହି ମଡେଲରେ ନିଯୁକ୍ତି ପାଇଥିବା ୨୫ ପ୍ରତିଶତ ସୈନ୍ୟ ୩ ବର୍ଷ ପାଇଁ କାମ କରିବେ ଓ ଆଉ ୨୫ ପ୍ରତିଶତ ୫ ବର୍ଷ ପାଇଁ କାମ କରିବେ । ଅବସର ପରେ ସେମାନଙ୍କୁ ସେନା ପେନସନ ଦିଆଯିବ ନାହିଁ । ତେବେ ସେମାନଙ୍କୁ ଜାତୀୟ ପେନସନ ସ୍କିମରେ ସାମିଲ କରାଯିବ। ଏହା ସହିତ ଅନ୍ୟ ସୈନ୍ୟମାନଙ୍କ ପରି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବର୍ଷ ପର୍ଯ୍ୟନ୍ତ ମେଡିକାଲ ଓ ଅନ୍ୟ କେତେକ ସୁବିଧା ସୁଯୋଗ ଦିଆଯିବ। ଅନ୍ୟପକ୍ଷରେ ଏହି ପ୍ରସ୍ତାବିତ ମଡେଲ ମାଧ୍ୟମରେ କେବଳ ସୈନ୍ୟମାନଙ୍କୁ ନିଯୁକ୍ତି ଦିଆଯିବ, ଅଫିସରମାନଙ୍କୁ ନିଯୁକ୍ତି ଦିଆଯିବ ନାହିଁ।
୨ ବର୍ଷ ତଳେ କରୋନା ମହାମାରୀ ଆରମ୍ଭ ହେବା ପରେ ସରକାର ସେନା ନିଯୁକ୍ତ ବନ୍ଦ କରିଦେଇଥିଲେ। ସେନାର ବଢିଚାଲିଥିବା ପେନସନ ବ୍ୟୟକୁ ଦୃଷ୍ଟିରେ ରଖି ସରକାର ସେନା ନିଯୁକ୍ତି ହ୍ରାସ କରିଛନ୍ତି। ଆହୁରି ମଧ୍ୟ ଭାରତୀୟ ସେନାର ମାନବ ସମ୍ବଳକୁ ହ୍ରାସ କରିବା ସହ ଟେକନଲୋଜୀର ବ୍ୟବହାର ବଢାଇବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି।