ପାନପୋଷସ୍ଥିତ ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଲା ଏଫ୍ଏସ୍ଏସ୍ଏଆଇ ସ୍ବୀକୃତି

0

ରାଉରକେଲା, ୧୭।୧୧: ପାନପୋଷ ରୋଡ୍‌ ସ୍ଥିତ ତାରିଣୀ ମାତା ମନ୍ଦିରର ପ୍ରସାଦକୁ ମିଳିଛି ନୂଆ ସ୍ବୀକୃତି। ପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ‘ଭୋଗ’ ପ୍ରମାଣପତ୍ର ମିଳିଛି। ଏହି ‘ଭୋଗ’ ପ୍ରମାଣପତ୍ର ପାଇବାରେ ଏହି ମନ୍ଦିର ଓଡ଼ିଶାରେ ପ୍ରଥମ। ପ୍ରକାଶ ଥାଉ କି, ଦେଶର ବିଭିନ୍ନ ସ୍ମାର୍ଟ ସିଟି ମଧ୍ୟରେ ସ୍ଥାନୀୟ ଖାଦ୍ୟ ପଦାର୍ଥକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ‘ଇଟ୍ ସ୍ମାର୍ଟ ସିଟି ଚାଲେଞ୍ଜ୍‌’ ଆୟୋଜିତ ହୋଇଥିଲା। ଏହି କ୍ରମରେ ରାଉରକେଲା ସ୍ମାର୍ଟ ସିଟିର ଅଧିକାରୀମାନେ ବିଭିନ୍ନ ସ୍ଥାନୀୟ ଖାଦ୍ୟ ଯାଞ୍ଚ କରି ତା’ର ଲୋକପ୍ରିୟତା ଓ ଗୁଣବତ୍ତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ଗତ ଅଗଷ୍ଟ ମାସରେ ହୋଇଥିବା ‘ଇଟ୍ ସ୍ମାର୍ଟ ସିଟି ଚାଲେଞ୍ଜ’ କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗ ନେଇଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟସାମଗ୍ରୀ ଏବଂ ଏଥିରେ ଥିବା ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏହାସହ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ମିଳୁଥିବା ଖାଦ୍ୟର କିଭଳି ଗୁଣବତ୍ତା ବଜାୟ ରହିବ, ଜନସାଧାରଣ କିପରି ଉନ୍ନତମାନର ଖାଦ୍ୟ ପାଇପାରିବେ ସେ ନେଇ ସଚେତନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଆଦି ସ୍ଥାନରେ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା। ତାରିଣୀ ମନ୍ଦିରର ପ୍ରସାଦର ସ୍ୱଚ୍ଛତା ଓ ମାନକୁ ଆଧାର କରି ରାଉରକେଲା ସ୍ମାର୍ଟ ସିଟିର ପରାମର୍ଶ କ୍ରମେ ମନ୍ଦିର ସମିତି ପକ୍ଷରୁ ଏଫ୍‌ଏସ୍‌ଏସ୍‌ଏଆଇ ନିକଟରେ ‘ଭୋଗ’ ପ୍ରମାଣପତ୍ର ଲାଗି ଆବେଦନ କରାଯାଇଥିଲା। ଏହି ପ୍ରକ୍ରିୟା ଅଧୀନରେ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୋଗ ପ୍ରସ୍ତୁତ କରୁଥିବା ତାରିଣୀ ମାତା ମନ୍ଦିରର ୨ ଜଣ ପୂଜାରୀଙ୍କୁ ଅନଲାଇନରେ ତାଲିମ ଦିଆଯାଇଥିଲା। ପ୍ରସାଦ ପ୍ରସ୍ତୁତି ଏବଂ ବଣ୍ଟନରେ ସ୍ୱଚ୍ଛତା ଓ ଶୁଦ୍ଧତା ବଜାୟ ରହିବା ସହ ମନ୍ଦିର ଆଖପାଖ ପରିବେଶ କିପରି ସଫା ସୁତୁରା ରହିବ ସେ ବିଷୟରେ ପରାମର୍ଶ ଦେଇଥିଲେ। ଏହି ମାନ୍ୟତା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ସ୍ମାର୍ଟ ସିଟି ସିଇଓ ଦିବ୍ୟଜ୍ୟୋତି ପରିଡ଼ା ମନ୍ଦିର ପରିଚାଳନା ସମିତି ଏବଂ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରମାଣପତ୍ର ତାରିଣୀ ମନ୍ଦିରର ପ୍ରସାଦ ସେବନ କରୁଥିବା ଭକ୍ତ ତଥା ସ୍ଥାନୀୟ ବାସିନ୍ଦା ଏବଂ ରାଉରକେଲା ସହରବାସୀଙ୍କ ପାଇଁ ଏକ ଖୁସିର ବିଷୟବୋଲି କହିଛନ୍ତି।

Leave A Reply

Your email address will not be published.