ନଭେମ୍ବରରେ ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ

ନିର୍ମାଣାଧୀନ ରେଳଷ୍ଟେସନ କାର୍ଯ୍ୟ ତଦାରଖ କଲେ ସାଂସଦ ଓ ଡିଆର୍‌ଏମ୍‌

0

ଭୁବନେଶ୍ୱର, ୨/୯: ନଭେମ୍ବରରେ ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ। ଏନେଇ ସୂଚନା ଦେଇଛନ୍ତି ରେଳ ବିଭାଗର ଡିଆର୍‌ମ୍‌। ଗୁରୁବାର ନୂତନ ରେଳଷ୍ଟେସନ ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଆସି ଏହି ସୂଚନା ଦେଇଛନ୍ତି।

ବାଲେଶ୍ଵର ଜିଲ୍ଲା ନୀଳଗିରିକୁ ପାସେଞ୍ଜର ଟ୍ରେନ ଚଳାଇବା ନେଇ ବହୁ ଦିନରୁ ଦାବି ହୋଇ ଆସୁଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଗୋପୀନାଥପୁର ଅଞ୍ଚଳରେ ଏକ ନୂତନ ଷ୍ଟେସନ ନିର୍ମାଣ କରି ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ଦାବିପତ୍ର ଦେବା ସହ ରେଳମନ୍ତ୍ରୀଙ୍କୁ ଭେଟିଥିଲେ।  ରେଳଷ୍ଟେସନ ନିର୍ମାଣ କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବ ସବୁଜ ସଙ୍କେତ ଦେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲିଛି।

ଗୁରୁବାର ରେଳବିଭାଗର ଡିଆର୍‌ମ୍‌ ମନୋରଞ୍ଜନ ପ୍ରଧାନ ଓ ଉପରିସ୍ଥ ଅଧିକାରୀ ଗୋପୀନାଥପୁର ସ୍ଥିତ ଷ୍ଟେସନ ନିର୍ମାଣ କାର୍ଯ୍ୟସ୍ଥଳରେ ପହଞ୍ଚି କାର୍ଯ୍ୟର ତଦାରଖ କରିଥିଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ନିର୍ମାଣ ହେଉଥିବା ଷ୍ଟେସନ ବିଲ୍ଡିଂ ଗୃହ, ସିଗନାଲ ଲାଇଟ ପୋଷ୍ଟ ଓ ଅନ୍ୟ ସବୁ କାର୍ଯ୍ୟର ତଦାରଖ କରିଥିଲେ। ତେବେ ଖୁବଶୀଘ୍ର କାର୍ଯ୍ୟ ସରିବା ସହ ନଭେମ୍ବର ମାସରେ ଷ୍ଟେସନ କାର୍ଯ୍ୟକ୍ଷମ ହେବାକୁ ଆଶାବାନ୍ଧି ଥିବା ବେଳେ ପାସେଞ୍ଜର ଟ୍ରେନ ଗଡ଼ିବ ବୋଲି ଡିଆର୍‌ମ୍‌ ଅଞ୍ଚଳବାସୀଙ୍କୁ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.