ବିରୋଧୀଙ୍କ ହୋହଲ୍ଲାରେ ଅତିରିକ୍ତ ବଜେଟ ଉପସ୍ଥାପିତ

୧୯୮୩୩ କୋଟି ଟଙ୍କାର ଟଙ୍କାର ଅତିରିକ୍ତ ବଜେଟ୍‌

0

ଭୁବନେଶ୍ୱର, ୧।୧୨: ବିରୋଧୀ ଦଳଙ୍କ ପ୍ରବଳ ହୋହଲ୍ଲା ଭିତରେ ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି। ଖଣି ରାଜସ୍ୱ ସଂଗ୍ରହ ଉପରେ ଭରସା କରି ଓ ବିଭିନ୍ନ ସଂସ୍ଥା ସହ ସହବନ୍ଧିତ(ବୁଝାମଣା) ମାଧ୍ୟମରେ ରାଜ୍ୟ ସରକାର ଅତିରିକ୍ତ ବଜେଟରେ ଲମ୍ବାଚଉଡ଼ା ଯୋଜନା ପ୍ରସ୍ତୁତ କରିଛନ୍ତି । କେବଳ ସେତିକି ନୁହେଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ୧୬୮୨ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ ଏନଡିଆରଏଫରୁ ମିଳିବାକୁ ଅବା ବର୍ଷ ଶେଷର ବଳକାରୁ ଭରଣା କରିବେ ବୋଲି ଅଙ୍କ କଷିବାକୁ ପଛାଇ ନାହାନ୍ତି । ୨୦୨୧-୨୨ ଆର୍ଥିକ ବର୍ଷର ମୂଳ ବଜେଟ ୧.୭୦ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଆଜି ଆଗତ ଅତିରିକ୍ତ ବଜେଟର ଆକାର ତା’ର ୧୧.୬୭% ।

ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗରେ ବ୍ୟାନର ଧରି ହଟ୍ଟଗୋଳ କରୁଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଏହି ୧୯୮୩୩କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଉପସ୍ଥାପନ କରିଛନ୍ତି। ବଜେଟରେ ପ୍ରଶାସନିକ ବ୍ୟୟ-୪୫୭୭କୋଟି, କାର୍ଯ୍ୟକ୍ରମ ବ୍ୟୟ ୧୩୫୬୮କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି-୧୬୮୨କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ୬କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପ୍ରଶାସନିକ ବ୍ୟୟ ବାବଦରେ ଥିବା ୪୫୭୭ କୋଟି ଟଙ୍କା ମୂଳ ବଜେଟରେ ଆଡଜଷ୍ଟ ଓ ସରେଣ୍ଡରରୁ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରଖିଥିବା ସରକାର କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଥିବା ୧୩୫୬୮କୋଟି ଟଙ୍କା ମଧ୍ୟରୁ ୭୪୩୧କୋଟି ଟଙ୍କା ନିଜର ଖଣି ରାଜସ୍ୱରୁ ଓ ବାକି ୬୧୩୭ କୋଟି ଟଙ୍କା ସହବନ୍ଧିତ(ବୁଝାମଣା)ରେ ଭରଣା କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଅତିରିକ୍ତ ବଜେଟରେ ରାଜ୍ୟ ସରକାର ୩୫୬୭କୋଟି ଟଙ୍କାକୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ୨୦୩୮.୧୬କୋଟି ଟଙ୍କା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ୧୧୩୪.୯୮କୋଟି ଟଙ୍କା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ୨୧୪୧.୫୩କୋଟି ଟଙ୍କା ଶକ୍ତି କ୍ଷେତ୍ର ଓ ୧୦୭୩.୬୭କୋଟି ଟଙ୍କା ସ୍କୁଲ ଓ ଗଣଶିକ୍ଷା ବିଭାଗ ନିମନ୍ତେ ବ୍ୟୟବରାଦ ହୋଇଛି ।
ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮.୫୧କୋଟି ଟଙ୍କାର ବ୍ୟୟବରାଦ କରିଥିବା ଓଡ଼ିଶା ସରକାର ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା’ରେ ରାଜ୍ୟର ଅଂଶଧନ ପାଇଁ ୨୨୯.୫୫କୋଟି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଓଡ଼ିଶାର ଅଂଶଧନ ବାବଦରେ ୯୦୭.୮୩କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସେହିପରି କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ଆର୍ଶୀବାଦ’ ଯୋଜନା ପ।ଇଁ ୩୫କୋଟି ଟଙ୍କା, ମଧୁବାବୁ ପେନସନ ପାଇଁ ୨୧୫.୪୩ କୋଟି ଟଙ୍କା ସମେତ ମୋଟ ୫୮୪.୯୨କୋଟି ଟଙ୍କାର ସାମାଜିକ ସୁରକ୍ଷା ଯୋଜନା, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ନୂଆ ରନ୍ଧନ ଗ୍ୟାସ ସଂଯୋଗ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ବାବଦରେ ୧୩୦.୮୧କୋଟି ଟଙ୍କା, ଏରୋଡ୍ରମ ନିର୍ମାଣ ବାବଦରେ ୪୦କୋଟି, ବିଦ୍ୟୁତଚାଳିତ ଗାଡ଼ି କ୍ରୟରେ ସବସିଡି ପାଇଁ ୫କୋଟି, ବିଜୁ ଗ୍ରାମ୍ୟ ଜ୍ୟୋତି ପାଇଁ ୪୦କୋଟି, ବାୟୋଟେକ୍ନୋଲୋଜି ବିକାଶ ପାଇଁ ୧୩କୋଟି, ପ୍ଲାନେଟୋରିୟମ ଓ ମ୍ୟୁଜିୟମ ବିକାଶ ପାଇଁ ୩୨.୫୦କୋଟି, ନୂଆ କଳାମଣ୍ଡଳ ନିର୍ମାଣ ପାଇଁ ୪୧.୯୪କୋଟି ଟଙ୍କା, ସଂସ୍କୃତି ନିର୍ଦ୍ଦେଶାଳୟ ପାଇଁ ୨୪.୬୯କୋଟି, ମୋ ସ୍କୁଲ ଅଭିଯାନ ପାଇଁ ୮୮୭ କୋଟି, ମଡେଲ ଐତିହ୍ୟ ଗାଁ ନିର୍ମାଣ ପାଇଁ ୬କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସେହିପରି ଗ୍ରୀଡକୋରେ ଅଂଶଧନ ବିନିଯୋଗ ବାବଦରେ ୨୦୩୯.୬୯କୋଟି ଟଙ୍କା, କୋଭିଡ୍ କଟକଣା ଯୋଗୁ ଓଏସଆରଟିସି ବସ୍ ଚଳାଚଳ କ୍ଷତି ଭରଣା ନିମନ୍ତେ ୫୦କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ବାବଦରେ ୨୫୬୪ କୋଟି ଟଙ୍କା, ଅନୁସୂଚିତ ଜାତିଙ୍କ ବିକାଶ ପାଇଁ ୯୦.୧୬କୋଟି ଟଙ୍କା, ବିପିଏଲ ପରିବାରରଙ୍କୁ କୋଭିଡ୍ ସହାୟତା ଓ ଚାଉଳ ଯୋଗାଣ ପାଇଁ ୧୧୦୫.୧୮କୋଟି ଟଙ୍କା, ମିଶନ ଶକ୍ତି ଅଧୀନରେ ଥିବା କାର୍ଯ୍ୟକ୍ରମ ପାଇଁ ୮୪.୫କୋଟି ଟଙ୍କା, କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୧୮୦କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ବଜେଟ ଉପସ୍ଥାପନବେଳେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ, କୋଭିଡର ଦ୍ୱିତୀୟ ଲହର ଯୋଗୁ ବାଧାପ୍ରାପ୍ତ ହୋଇଥିବା ଅର୍ଥନୀତିରେ ଏବେ ସୁଧାର ଆସିବାରେ ଲାଗିଛି । ଏଫଆରବିଏମ୍ ଆକ୍ଟର ପ୍ରାବଧାନ ଅନୁସାରେ ବିତ୍ତୀୟ ନିଅଣ୍ଟ ପରିମାଣକୁ ରାଜ୍ୟ ମୋଟ ଘରୋଇ ଉତ୍ପାଦ(ଜିଏସଡିପି)ର ୩% ମଧ୍ୟରେ ସୀମିତ ରଖାଯାଇଥିବାବେଳେ ଋଣ ଭାର ମଧ୍ୟ ଜିଏସଡିପିର ୨୫% ମଧ୍ୟରେ ସୀମିତ ରହିବ । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅଧିକ ପରିମାଣର ଖଣି ରାଜସ୍ୱ ପାଇବେ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଉଲ୍ଲେଖ କରିଛନ୍ତି ।

ତେବେ ଅତିରିକ୍ତ ବଜେଟର ଆକାର ଓ ହୋଇଥିବା ବ୍ୟୟବରାଦକୁ ଦେଖିଲେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ‘ହାତରେ ନାହିଁ ଧନ, ପୁଅ ବାହା କରିବାକୁ ମନ’ ଭଳି ହୋଇଛି । ଅତିରିକ୍ତ ବଜେଟ ପାଇଁ ହାତରେ ଟଙ୍କାଟିଏ ନଥିଲେ ମଧ୍ୟ ବ୍ୟୟବରାଦ ହୋଇଥିବା ପାଣ୍ଠିକୁ ବିଭିନ୍ନ କ୍ଷେତ୍ରରୁ ଭରଣା ନିମନ୍ତେ ଲମ୍ବାଚଉଡ଼ା ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଭୁଲିନାହାନ୍ତି । ଯଦି କରୋନାର ନୂଆ ଭାରିଏଣ୍ଟ ଓଡ଼ିଶାରେ ତା’ର କାୟାବିସ୍ତାର କରେ, ତା’ହେଲେ ସରକାରଙ୍କ ଏହି ରୋଡମ୍ୟାପ୍ ବାସ୍ତବ ରୂପ ନେବା ସାତସପନ ହୋଇଯିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

 

Leave A Reply

Your email address will not be published.