ଖାଦ୍ୟ ନଳୀରେ ଅଟକି ଥିବା କୁକୁଡା ହାଡକୁ ୭ ଦିନ ପରେ ଅସ୍ତ୍ରୋପଚାର ଜରିଆରେ ବାହାର କରିବାରେ ସଫଳ ହେଲେ ସମ୍ମମ୍ ସର୍ଜନ

0

ଭୁବନେଶ୍ୱର ୮/୧୨: ଦୀର୍ଘ ୭ ଦିନ ଧରି ଜଣେ ବ୍ୟକ୍ତିଙ୍କର ଖାଦ୍ୟ ନଳୀରେ ଅଟକିଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ । ଏହି ସର୍ଜିକାଲ ଟିମ୍‌ର ନେତୃତ୍ୱ ନେଇଥିବା ସମ୍ମମ୍‌ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ କହିଛନ୍ତି ଯେ ଏହା ତାଙ୍କ ପାଇଁ ଖୁବ୍ ବିରଳ ଏବଂ ବିପଦପୂର୍ଣ୍ଣ ପ୍ରକ୍ରିୟା ଥିଲା । କାରଣ ଏହି ହାଡଟି ରୋଗୀର ଖାଦ୍ୟ ନଳୀ ଏବଂ ଛାତିର ପାଶ୍ୱର୍ରେ ଅଟକି ଥିଲା ଓ ଏଣ୍ଡୋସ୍କୋପି ଦ୍ୱାରା ଏହାକୁ କାଢ଼ିବା ସମ୍ଭବ ନଥିଲା । ସେମାନେ ଏଣ୍ଡୋସ୍କୋପି ଦ୍ୱାରା ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ ତେଣୁ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନିଆଯାଇଥିଲା ।

ଏହି ଅସ୍ତ୍ରୋପଚାର ଖୁବ୍ ଅଭିନବ ଓ ବିପଦପୂର୍ଣ୍ଣ ଥିଲା । କାରଣ ଏହା ଛାତିର ମଝି ପାଶ୍ୱର୍ ଏବଂ ଶ୍ୱାସ ନଳୀର ଠିକ୍ ତଳେ ଅଟକି ଥିଲା ବୋଲି ସେ କହିଛନ୍ତି । ଡାକ୍ତର ରାୟ ଚୌଧୁରୀଙ୍କୁ ଡାକ୍ତର ସୁମିତ ଏସ୍‌. ମହାନ୍ତି ସହଯୋଗ କରିଥିବା ବେଳେ ଏଣ୍ଡୋସ୍କୋପି ପ୍ରକ୍ରିୟାରେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଅୟସକାନ୍ତ ସିଂହ ସହଯୋଗ କରିଥିଲେ । ଏହି ଅସ୍ତ୍ରୋପଚାର ନିମନ୍ତେ ଆନେସଥେସିଆ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ ଓ ତାଙ୍କ ଟିମ୍ ସହଯୋଗ କରିଥିଲେ । ଅସ୍ତ୍ରୋପଚାର ଦ୍ୱାରା କୁକଡାର ହାଡଟିକୁ ରୋଗୀର ଖାଦ୍ୟ ନଳୀରୁ କଢ଼ାଯିବା ପରେ ଏକ ଏଣ୍ଡୋସ୍କୋପି କରାଯାଇଥିଲା । ଅସ୍ତ୍ରୋପଚାର ପରେ କୁକୁଡା ହାଡ ଦ୍ୱାରା ଖାଦ୍ୟ ନଳୀରେ କ୍ଷତ ସୃଷ୍ଟି ହୋଇଥିବାରୁ ତାକୁ ଶୀଘ୍ର ଶୁଖାଇବା ନିମନ୍ତେ ଏକ ଏନ୍‌ଜିଟ୍ୟୁବ୍ ମାଧ୍ୟମରେ ଚିକିତ୍ସା କରାଯାଇଥିଲା ବୋଲି ଡାକ୍ତର ସିଂହ କହିଥିଲେ ।

ଏକ କ୍ଷତାକ୍ତ ଖାଦ୍ୟନଳୀରେ ଏଣ୍ଡୋସ୍କୋପି କରିବା ଖୁବ୍ ବିପଦପୂର୍ଣ୍ଣ ଥିଲା ଏବଂ ଏ ନିମନ୍ତେ ସମ୍ପୂର୍ଣ୍ଣ ଯତ୍ନ ସହକାରେ ଏହା ସଂପାଦନ କରାଯାଇଥିଲା । ଏଭଳି କ୍ଷେତ୍ରରେ ପାଟି ପରିବର୍ତେ ନାକ ବାଟେ ଏଣ୍ଡୋସ୍କୋପି କରାଯାଏ ବୋଲି ଡାକ୍ତର ସିଂହ କହିଛନ୍ତି । ଅସ୍ତ୍ରୋପଚାର ପରେ ରୋଗୀଙ୍କର ପତ୍ନୀ ଖୁବ୍ ଆଶ୍ୱସ୍ତ ହୋଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ସ୍ୱାମୀ ଭୁଲବଶତଃ ଏକ ଚିକେନ୍ ହାଡକୁ ଗିଳି ଦେବା ପରେ ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ କରିଥିଲେ । କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ଯାଇଥିଲେ ମଧ୍ୟ ରୋଗୀର ଜୀବନ ପ୍ରତି ବିପଦ ଥିବାରୁ ସେଠାରେ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିନଥିଲା । କାରଣ ଏହି ଅସ୍ତ୍ରୋପଚାର ଖୁବ୍ ଜଟିଳ ଓ ବିପଦପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି । ଆମେ କୁଆଡେ ଯିବୁ ଜାଣିପାରୁ ନଥିବା ବେଳେ ମୋ ସ୍ୱାମୀର ଚିକିତ୍ସା ନିମନ୍ତେ ଆମର ଜଣେ ସମ୍ପର୍କୀୟ ସମ୍ମମକୁ ଯିବା ପାଇଁ କହିଥିଲେ ବୋଲି ସେ କହିଛନ୍ତି । ସମ୍ମମ୍‌ରେ ପହଂଚିବା ପରେ ତାଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କର ତୁରନ୍ତ ଅପରେସନ୍ ନିମନ୍ତେ ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଚୋଧୁରୀ କହିଛନ୍ତି । କୁକୁଡା ହାଡ଼ଟିକୁ ସଫଳତାର ସହ କଢ଼ାଯାଇଛି ଏବଂ ତାଙ୍କ ଖାଦ୍ୟନଳୀ ମଧ୍ୟ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ଠିକ୍ ଅଛି ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତର ରାୟଚୌଧୁରୀ କହିଛନ୍ତି ।

Leave A Reply

Your email address will not be published.