ବିମୁଦ୍ରାକରଣ ଉପରେ ଜାନୁଆରୀ ୨ରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ, ୨୨।୧୨: ବିମୁଦ୍ରାକରଣକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ରାୟ ଆସନ୍ତା ଜାନୁଆରୀ ୨ରେ ଶୁଣାଇବେ ସୁପ୍ରିମକୋର୍ଟ। ୨୦୧୬ ମସିହାରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ରାତାରାତି ଅବୈଧ ଘୋଷଣା କରି ଦେଇଥିଲେ। ଏହା ବିରୋଧରେ ୫୦ରୁ ଅଧିକ ଆବେଦନ ସୁପ୍ରିମକୋର୍ଟରେ କରାଯାଇଥିଲା। ଏହାର ଶୁଣାଣି ସୁପ୍ରିମକୋର୍ଟରେ ମଧ୍ୟ ହୋଇଥିଲା।

ଆସନ୍ତା ୨ ତାରିଖରେ ଜଷ୍ଟିସ ଅବଦୁଲ ନଜିରଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ ଏହା ଉପରେ ରାୟ ପ୍ରକାଶ କରିବେ। ଜଷ୍ଟିସ ନଜିର ୩ ତାରିଖରେ ଅବସର ନେବାକୁ ଯାଉଥିବା ବେଳେ ଦିନକ ପୂର୍ବରୁ ବିମୁଦ୍ରାକରଣ ପ୍ରସଙ୍ଗରେ ସୁପ୍ରିମ ରାୟ ଦେବେ।

ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ ବିଆର ଗଭାଇ, ଜଷ୍ଟିସ ଏସଏସ୍‌ ବୋପାନ୍ନା, ଜଷ୍ଟିସ ଭି ରାମସୁବ୍ରମଣିଅନ ଓ ଜଷ୍ଟିସ ବିଭି ନାଗରତ୍ନା ରହିଛନ୍ତି। ସୁପ୍ରିମକୋର୍ଟ ଡିସେମ୍ବର ୭ରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଏବେ ସର୍ବସମ୍ମତିକ୍ରମେ ସାମ୍ବିଧାନିକ ବେଞ୍ଚ ୨ ତାରିଖରେ ରାୟ ଦେବେ ବୋଲି ଜଣାପଡ଼ିଛି।

ରାୟ ସଂରକ୍ଷିତ ରଖିବା ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଆରବିଆଇକୁ ବିମୁଦ୍ରାକରଣ ସଂକ୍ରାନ୍ତରେ ଜଡ଼ିତ ସମସ୍ତ ଦସ୍ତାବିଜ୍‌ ଦାଖଲ କରିବାକୁ କହିଥିଲେ। ଖଣ୍ଡପୀଠ ନିକଟରେ ଆଟର୍ଣ୍ଣି ଜେନେରାଲ ବନ୍ଦ ଲଫାପାରେ ସମସ୍ତ ଦସ୍ତାବିଜ ଦାଖଲ ମଧ୍ୟ କରିଛନ୍ତି।

ଆବେଦନକାରୀଙ୍କ କହିବା କଥା ଯେ ତରବରିଆ ଓ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ପରିସ୍ଥିତିକୁ ଅଣଦେଖା କରି ବିମୁଦ୍ରାକରଣ ନିଷ୍ପତ୍ତି ଲାଗୁ କରାଯାଇଥିଲା। ଲୋକମାନେ ନିଜ କଷ୍ଟ ଉପାର୍ଜିତ ଧନର ସୁରକ୍ଷା ପାଇଁ ବ୍ୟାଙ୍କ ଆଗରେ ଘଣ୍ଟାଘଣ୍ଟି ଧରି ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ। ଏଥିଯୋଗୁ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହି ନିଷ୍ପତ୍ତି ଦେଶର ଅର୍ଥନୀତିକୁ ମଧ୍ୟ କ୍ଷତି ପହଞ୍ଚାଇଛି ବୋଲି ଆବେଦନକାରୀମାନେ କହିଛନ୍ତି।

Leave A Reply

Your email address will not be published.